ନୂଆଦିଲ୍ଲୀ,୩୧/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବାକୁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍। ହେଲେ ଗୁଜରାଟ ହାଇକୋର୍ଟ ଏହି ଆବେଦନକୁ ଖାରଜ୍ କରିବା ସହ କେଜରିୱାଲ୍ଙ୍କ ଉପରେ ୨୫ ହଜାର ଫାଇନ୍ କରିଛନ୍ତି।
ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ଆସିବା ପରେ କେଜରିୱାଲ୍ ଏହାକୁ ନିନ୍ଦା କରିଛନ୍ତି। ଏକ ଖବର ପୋର୍ଟାଲ୍ରେ ଆପ୍ ନିଜର ମନ୍ତବ୍ୟ ପ୍ରକାଶ କରିଛି। ଯେଉଁଥିରେ ଲେଖାଯାଇଛି ” ଦେଶର ନାଗରିକଙ୍କର କଣ ଏହା ଜାଣିବାର ଅଧିକାର ନାହିଁ ଯେ ତାଙ୍କ ପ୍ରଧାନମନ୍ତ୍ରୀ କେତେବାଟ ପାଠ ପଢ଼ିଛନ୍ତି ? କୋର୍ଟରେ ସେ ତାଙ୍କ ଡିଗ୍ରୀ ଦେଖାଇବାକୁ କାହିଁକି କଡ଼ା ବିରୋଧ କରୁଛନ୍ତି ? ଯେଉଁମାନେ ତାଙ୍କ ଡିଗ୍ରୀ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କୁ ଫାଇନ୍ କରାଯାଉଛି । କଣ ହେଉଛି ଏ ଦେଶରେ।”
ସୂଚନା ଥାଉକି, ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ପ୍ରମାଣପତ୍ର ଦେଖାଇବାକୁ ଗୁଜରାଟ ୟୁନିଭର୍ସିଟିକୁ ନିର୍ଦ୍ଦେଶ ଦେଇଥିଲେ ଚିଫ୍ ଇନ୍ଫରମେସନ କମିଶନର। ଆର୍ଟିଆଇର ଦୁରୁପଯୋଗ କରାଯାଉଛି ବୋଲି ଅଭିଯୋଗ କରି ଗୁଜରାଟ ୟୁନିଭର୍ସିଟି ସିଆଇସି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରିଥିଲେ। ଶୁକ୍ରବାର ଏସମ୍ପର୍କିତ ମାମଲାରେ ଗୁଜରାଟ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ତା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୨୫ ହଜାର ଟଙ୍କାର ଫାଇନ୍ କରିଛନ୍ତି କୋର୍ଟ। ଫାଇନ ଟଙ୍କାକୁ ଗୁଜରାଟ ଷ୍ଟେଟ୍ ଲିଗାଲ୍ ସର୍ଭିସ୍ ଅଥୋରିଟିଙ୍କ ପାଖରେ ପୈଠ କରିବାକୁ କୋର୍ଟ କହିଛନ୍ତି।
