ଅଚ୍ୟୁତ ସାମନ୍ତଙ୍କୁ ୭୭ତମ ସମ୍ମାନସୂଚକ ଡକ୍ଟରେଟ୍, ରୋମାନିଆରେ ମିଳିଲା ସ୍ୱୀକୃତି

ଭୁବନେଶ୍ବର, ୨୦/୧୧ : କିଟ୍ , କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ରୋମାନିଆର କନଷ୍ଟାଣ୍ଟା ସ୍ଥିତ ଆଣ୍ଡ୍ରେଇ ସାଗୁନା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ମିଳିଛି । ହଜାର ହଜାର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ହେଉଛି ଡ. ସାମନ୍ତଙ୍କ ୭୭ତମ ସମ୍ମାନସୂଚକ ଡକ୍ଟରେଟ୍ । ବିଶ୍ୱବିଦ୍ୟାଳୟର ରେକ୍ଟର ପ୍ରଫେସର କୋଷ୍ଟେଲ ନେଗ୍ରିସିଆ, ଭାଇସ-ରେକ୍ଟର ପ୍ରଫେସର ଡ. ଟୁଡର ଏଡୁ, କନଷ୍ଟାଣ୍ଟାର ଉପ-ମେୟର ଆଡ୍ରିଆନା ଆର୍ଗିରେସ୍କୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ସିନେଟର ସଭାପତି ପ୍ରଫେସର ମିହାଇ ଓଲାରିଉ ଡ. ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିଥିଲେ ।

ଅନ୍ୟ ଏକ ଉଲ୍ଲେଖନୀୟ ସ୍ୱୀକୃତି ସ୍ୱରୂପ ରୋମାନିଆର ରୋମାନିଆନ୍ -ଆମେରିକାନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ସାମନ୍ତଙ୍କୁ ସମ୍ମାନଜନକ ‘ପ୍ରଫେସର ଏମେରିଟସ୍ ’ ଉପାଧି ପ୍ରଦାନ କରାଯାଇଛି । ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରୋମାନିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ମନୋଜ କୁମାର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ । ଏହି ସମ୍ମାନ ପାଇଁ ଡ. ସାମନ୍ତ ପ୍ରଫେସର ଜର୍ଜ ପାପାରି ଏବଂ ବିଶ୍ୱବିଦ୍ୟାଳୟର ସମଗ୍ର ପରିବାର ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ କିଟ୍ ଓ ଆଣ୍ଡ୍ରେଇ ସାଗୁନା ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡ. ସାମନ୍ତ ଓ ସାଗୁନା ବିଶ୍ୱବିଦ୍ୟାଳୟ ସିନେଟର ବିଶିଷ୍ଟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ସହଭାଗିତା ଦ୍ୱାରା ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶୈକ୍ଷିକ ସହଯୋଗ, ମିଳିତ ଗବେଷଣା, ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଆଦାନପ୍ରଦାନ କାର୍ଯ୍ୟକ୍ରମ ସମେତ ବିଭିନ୍ନ ଶିକ୍ଷାଭିତ୍ତିକ ପଦକ୍ଷେପ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ।