ଭୁବନେଶ୍ବର,୨୭/୧୦ : ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବ। କମିସନରେଟ ପୁଲିସ ପକ୍ଷରୁ ୨ଟି ଏତଲାର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କମିସନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଛି।
ବେଆଇନ୍ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମିସନରେଟ ପୁଲିସକୁ ଅର୍ଚ୍ଚନାର ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରିବ ବୋଲି ଆଶା କରାଯାଉଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା।