ନୂଆଦିଲ୍ଲୀ: ପୁଣି ଭଗବାନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ସାଂସଦ ମନୋଜ ତିୱାରୀ ବୁଧବାର ଆମ୍ ଆଦ୍ମୀ ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲଙ୍କ ଟଙ୍କାରେ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଇବାର ଦାବିକୁ ନେଇ ଟାର୍ଗେଟ୍ କରିଛନ୍ତି । ଗୁଜରାଟ ଓ ହିମାଚଳ ନିର୍ବାଚନ ପୂର୍ବରୁ କେଜରିୱାଲ ନିଜ ହିନ୍ଦୁ ବିରୋଧୀ ଛବିକୁ ଲୁଚାଇବା ପାଇଁ ଏଭଳି ଅସଫଳ ଚେଷ୍ଟା କରିଛନ୍ତି ବୋଲି ମନୋଜ ତିୱାରୀ କହିଛନ୍ତି ।
ମନୋଜ ତିୱାରୀ ଆହୁରି କହିଛନ୍ତି ଯେ ପ୍ରକୃତରେ ଯଦି କେଜରିୱାଲ ଏଭଳି କରିବାକୁ ଚାହାନ୍ତି ତେବେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ୍ ଗୌତମ ଓ ଆପ୍ ଗୁଜରାଟ ଶାଖାର ମୁଖ୍ୟ ଗୋପାଳ ଇଟାଲିୟାଙ୍କୁ ଦଳରୁ ନିଷ୍କାସିତ କରିବା ଉଚିତ୍ । ବିଜେପି ସାଂସଦ ଶ୍ରୀ ତିୱାରୀ କହିଛନ୍ତି ଯେ ଆମେ ମହାକାଳ କରିଡରର ବିକଶିତ କରିଛୁ ରାମ ମନ୍ଦିର ନିର୍ମାଣ ଆରମ୍ଭ କରିଛୁ ।
କିନ୍ତୁ ପ୍ରଥମରୁ ଆପଣମାନେ ଏହାକୁ ବିରୋଧ କରୁଥିଲେ । ଯଦି ପ୍ରକୃତରେ ସନାତନ ଧର୍ମ ପ୍ରତି ସମ୍ମାନ ରହିଛି ତେବେ କେଜରିୱାଲ ପ୍ରଥମେ ଗୌତମ ଓ ଇଟାଲିୟାଙ୍କୁ ଦଳରୁ ବହିଷ୍କାର କରିବା ଉଚିତ୍ । ସୂଚନାଯୋଗ୍ୟ ଯେ ବୁଧବାର ଗଣମାଧ୍ୟମକୁ ବିବୃତ୍ତି ଦେଇ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟଙ୍କାରେ ଭଗବାନ ଗଣେଷ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଅପିଲ୍ କରିଥିଲେ । ସେହିପରି ଆପ୍ ବିଧାୟକ ନରେଶ ବାଲିୟାନ୍ କହିଥିଲେ ଯେ ଯଦି ବିଜେପିକୁ ପ୍ରଭୁ ଗଣେଶ ଜୀ ଓ ମାତା ଲକ୍ଷ୍ମୀଙ୍କୁ ନେଇ ସମସ୍ୟା ହେଉଛି ତେବେ ସେମାନେ ଭାରତ ଛାଡ଼ି ପାକିସ୍ତାନ ଚାଲିଯାଆନ୍ତୁ ।