ଆଜି ଇଦ୍‌-ଉଲ-ଫିତର୍‌ ,ସମସ୍ତଙ୍କୁ ସାଦର ଅଭିନନ୍ଦନ

ରମଜାନ ମାସ ଶେଷ ପରେ ଚନ୍ଦ୍ର ଦର୍ଶନ ପରଦିନ ବିଶ୍ୱବ୍ୟାପୀ ଅନୁଷ୍ଠିତ ହେଉଥିବା ଇଦ୍‌-ଉଲ-ଫିତର୍‌ ହେଉଛି ଦାନର ଆନନ୍ଦର ପର୍ବ। ଏହି ପର୍ବ ଭିତରେ ଥିବା ଚାରୋଟି ସ୍ତମ୍ଭ ମଧ୍ୟରୁ ଉପବାସ, ପ୍ରାର୍ଥନା ଓ ଦାନର ତିନୋଟି ସ୍ତମ୍ଭ ବିଦ୍ୟମାନ। ପୃଥିବୀରେ ସମସ୍ତେ ଖାଇପିଇ ସୁସ୍ଥ ସବଳ, ସୁଖ, ଶାନ୍ତି, ପ୍ରେମ, ସଦ୍‌ଭାବ ନେଇ ରହନ୍ତୁ ଏହା ହିଁ ହେଉଛି ପ୍ରେମ ଓ ବିଶ୍ୱାସର ଧର୍ମ ଇସଲାମର ମୂଳବାଣୀ।ପ୍ରତିବର୍ଷ ଏହାର ପୁନରାବୃତ୍ତି ମୁସଲିମ ସମାଜକୁ ସମଗ୍ର ମାନବ ଜାତି ପାଇଁ ସେମାନଙ୍କର ଉତ୍ତରଦାୟିତ୍ୱକୁ ସୂଚାଇଥାଏ। ପରୋପକାର ଓ ଅନ୍ୟ ଲାଗି ନିଜର ତ୍ୟାଗର ମହିମାକୁ ମଣ୍ଡିତ କରେ।
ମଣିଷ ମନରେ ଏହି ସହଯୋଗ, ପରୋପକାର ଭାବନା ଓ କର୍ମକୁ ଏକ ନିତ୍ୟନୈମିତ୍ତିକ ଅଭ୍ୟାସରେ ପରିଣତ କରିବାରେ ହିଁ ଏହି ପର୍ବର ପ୍ରକୃତ ସାର୍ଥକତା।
ବିଶ୍ୱଜନୀନ ମାନବତାବାଦ ଓ ଶାନ୍ତି ହିଁ ଏହି ଧର୍ମର ମୂଳମନ୍ତ୍ର, ଯାହା ଏହି ଇଦ୍‌-ଉଲ-ଫିତରରେ ପ୍ରତିଫଳିତ ହୋଇଥାଏ।
ଭାରତରେ ଆବହମାନ କାଳରୁ ଏହି ପର୍ବ ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ ଆଦି ବିଭିନ୍ନ ଧର୍ମର ଲୋକମାନେ ମୁସଲିମମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ପାଳନ କରି ଆସୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଏହା ଏକ ଅଦ୍‌ଭୁତ ସଂହତିର ରୂପ ନେଇଛି। ତେବେ ଏହି ପବିତ୍ର ପର୍ବପାଇଁ ସମସ୍ତଙ୍କୁ ସାଦର ଅଭିନନ୍ଦନ ।