ନୂଆଦିଲ୍ଲୀ, ୨୦/୦୭ : ଖରାପ ପାଗ ଯୋଗୁଁ ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ପରେ ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଯାତ୍ରାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ବର୍ତ୍ତମାନ ଜମ୍ମୁ-କାଶ୍ମୀର ଦେଖୁଛି ପ୍ରକୃତିର ରୁଦ୍ରରୂପ । ଜୁଲାଇ ୧୯ ତାରିଖ ଅର୍ଥାତ୍ ଆଜିଠାରୁ ବାର୍ଷିକ ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗକୁ ପାଗ ଆହୁରି ବିଗିଡିପାରେ, ଯାହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଜମ୍ମୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଜମ୍ମୁର ଡିଭିଜନାଲ କମିଶନର ରମେଶ କୁମାରଙ୍କ ସୂଚନା ଅନୁସାରେ, ଜମ୍ମୁର ଭଗବତୀ ନଗରରୁ ବାଲ୍ଟାଲ୍ ଏବଂ ନୁନ୍ୱାନ୍ ବେସ୍ କ୍ୟାମ୍ପ୍ ଆଡ଼କୁ କୌଣସି ବି ଶ୍ରଦ୍ଧାଳୁଙ୍କ ଗାଡ଼ି କିମ୍ବା କନଭୟକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ବର୍ତ୍ତମାନ ଯେଉଁ ଯାତ୍ରୀମାନେ ବାଲ୍ଟାଲ୍ ଏବଂ ଚନ୍ଦନୱାରୀ ବେସ୍ କ୍ୟାମ୍ପରେ ଅଛନ୍ତି, ସେମାନଙ୍କୁ ଆଗକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବୈଷ୍ଣୋ ଦେବୀ ଯାତ୍ରା ପାଇଁ ମଧ୍ୟ କାଟ୍ରା ଏବଂ ତ୍ରିକୂଟା ପାହାଡ଼ ରାସ୍ତାରେ ଯାତ୍ରୀଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏପର୍ୟ୍ୟନ୍ତ ପ୍ରାୟ ୩ ଲକ୍ଷ ୭୦ ହଜାରରୁ ଅଧିକ ଭକ୍ତ ବାବା ବରଫାନୀଙ୍କ ଦର୍ଶନ କରିସାରିଛନ୍ତି । ଗତ ବର୍ଷମାନଙ୍କରେ ଏହି ସଂଖ୍ୟା ୩ ଲକ୍ଷ ଆଖପାଖରେ ରହୁଥିବା ବେଳେ ୨୦୨୪ରେ ଏହା ୫ ଲକ୍ଷ ଟପିଥିଲା । ଚଳିତ ବର୍ଷ ମଧ୍ୟ ରେକର୍ଡ ସଂଖ୍ୟକ ଭକ୍ତଙ୍କ ଆଗମନ ହେଉଥିବା ବେଳେ ଏହି ପାଗ ସଙ୍କଟ ସୃଷ୍ଟି କରିଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜମ୍ମୁ, ଉଧମପୁର ଏବଂ ରାମବନରେ ଥିବା ସରକାରୀ ଆଶ୍ରୟସ୍ଥଳୀ ଓ ଅକୋମୋଡେସନ ସେଣ୍ଟରରେ ଯାତ୍ରୀମାନଙ୍କୁ ରହିବା ପାଇଁ କୁହାଯାଇଛି । ଏହା ସହ ଯେଉଁ ଭକ୍ତମାନେ ଆଗକୁ ଯାତ୍ରା ପାଇଁ ଯୋଜନା କରୁଥିଲେ, ସେମାନଙ୍କୁ ନିଜର ଯାତ୍ରା ସ୍ଥଗିତ ରଖିବାକୁ କୁହାଯାଇଛି । ପାଗ ସ୍ବାଭାବିକ ହେବା ଏବଂ ରୁଟ୍ କ୍ଲିୟରାନ୍ସ ମିଳିବା ପରେ ହିଁ ଯାତ୍ରା ପୁଣି ଆରମ୍ଭ ହେବ ।
