ଗୁଜରାଟ,୧ /୫ : ଗତକାଲି ରାତି ୧ଟା ବେଳେ ଗୁଜରାଟର ଭରୁଚ ‘ୱେଲ୍ଫେୟାର୍ ହସ୍ପିଟାଲ୍’ରେ ନିଆଁ ଲାଗିଯିବାରୁ ୧୮ଜଣ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଛନ୍ତି।୪ ମହଲା ବିଶିଷ୍ଟ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ପ୍ରାୟ ୭୦ଜଣ ରୋଗୀଙ୍କ ମଧ୍ୟରୁ ୨୪ଜଣ ଥିଲେ ‘ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ। ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ବାକି ସମସ୍ତ ରୋଗୀଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଆଖପାଖ ହସ୍ପିଟାଲ୍ମାନଙ୍କରେ ଭର୍ତ୍ତି କରିଛନ୍ତି।
ଭରୁଚ ଏସ୍.ପି. ରାଜେନ୍ଦ୍ରସିଂହ ଚୂଡ଼ସମା କହିଛନ୍ତି ଯେ, ନିଆଁ ଓ ଧୂଆଁରେ ରୁନ୍ଧି ହୋଇ ୧୨ଜଣ କୋଭିଡ୍-୧୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ବାକି ୬ଜଣ ୱେଲ୍ଫେୟାର୍ ହସ୍ପିଟାଲ୍ରେ କି, ଅନ୍ୟ ହସ୍ପିଟାଲ୍ମାନଙ୍କୁ ସ୍ଥାନାନ୍ତର କରାଯିବା ବେଳେ ପ୍ରାଣ ହରାଇଲେ, ତାହା ସ୍ପଷ୍ଟ ହୋଇନାହିଁ। ଭରୁଚ-ଜମ୍ବୁସର୍ ରାଜପଥ ପାର୍ଶ୍ବରେ ଅବସ୍ଥିତ କୋଭିଡ୍-୧୯ ହସ୍ପିଟାଲ୍ ଭାବେ ଚିହ୍ନିତ ଏହି ଡାକ୍ତରଖାନା ଗୋଟାଏ ଟ୍ରଷ୍ଟ୍ଦ୍ବାରା ପରିଚାଳିତ। କେଉଁଥିପାଇଁ ହସ୍ପିଟାଲ୍ରେ ନିଆଁ ଲାଗିଲା ତାହା ଅଦ୍ୟାବଧି ଜଣାପଡ଼ିନାହିଁ।
ଦମକଳ ବାହିନୀ ପ୍ରାୟ ଘଣ୍ଟାଏ ମଧ୍ୟରେ ହସ୍ପିଟାଲ୍ରୁ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।