ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ଅପେକ୍ଷାରେ ସାଢ଼େ ୭ ଲକ୍ଷ ଲୋକ

ଭୁବନେଶ୍ବର,୧/୫ : କୋଭିସିଲ୍ଡ ଟିକାର ସ୍ବଳ୍ପ ଓ ଅନିୟମିତ ଯୋଗାଣ ଏବେ ସମୁଦାୟ ଟିକାକରଣ ପ୍ରକ୍ରିୟାକୁ ଗଭୀର ଭାବେ ପ୍ରଭାବିତ କରିଛି। ରାଜ୍ୟ ସରକାର ଟିକା ପାଇଁ ଯେତେ ନିବେଦନ କଲେ ବି କେନ୍ଦ୍ର ସରକାର ଏ ଦିଗରେ ଯେଭଳି ତତ୍ପରତା ଦେଖାଇବା କଥା ତାହା ପରିଦୃଷ୍ଟ ହେଉନାହିଁ। ପରିଣାମ ହେଲା, କୋଭିଡ୍ ଉପରମୁହାଁ ଥିବାବେଳେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପରାହତ ହୋଇଛି। ଏ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏପରିସ୍ଥଳେ ରାଜ୍ୟକୁ କୋଭିସିଲ୍ଡ ଟିକା ଅଧିକ ଯୋଗାଣ ପାଇଁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ର ସରକାର ଏଭଳି ସ୍ଥିତିର ଗମ୍ଭୀରତା ବୁଝି ତୁରନ୍ତ ଗୋଟିଏ ଥରରେ କୋଭାସିଲ୍ଡ ଟିକାର ୨୫ ଲକ୍ଷ ଡ଼ୋଜ୍ ଜରୁରୀ କାଳୀନ ଭିତିରେ ଯୋଗାଇ ଦେବା ଲାଗି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟଥା ଦ୍ବିତୀୟ ଡୋଜ୍ ସହିତ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭୀଷଣ ଭାବେ ପ୍ରଭାବିତ ହେବ।

Comments are closed.