ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା

ନୂଆଦିଲ୍ଲୀ, ୩୧/୦୫ : ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଚୂଡାନ୍ତ ହୋଇଛି। ଶନିବାର କର୍ଣ୍ଣାଟକ ବିଧାନସୌଧରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ​‌ବୈଠକରେ ଡିକେ ଶିବକୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି। ବୈଠକରେ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିଧାୟକ ଦଳ ନେତା ପାଇଁ ଶିବକୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଜି ପରମେଶ୍ବର ସମର୍ଥନ କରିଥିଲେ। ପରେ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ବିଧାୟକ ଦଳ ବୈଠକରେ ସିଦ୍ଧରମେୟାଙ୍କୁ ରାଜ୍ୟବାସୀଙ୍କ ପ୍ରତି ତାଙ୍କର ସେବା ଓ କଂଗ୍ରେସ ଦଳ ପ୍ରତି ଅବଦାନ ପାଇଁ ଧନ୍ୟବାଦ ଜଣାଯାଇଥିଲା। କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କ ତତ୍ତ୍ବାବଧାନରେ ସିଏଲପି ନେତା ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶିବକୁମାର ଲୋକଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଦାବି ଅନୁଯାୟୀ ରାଜ୍ୟପାଳ ଥୱର ଚାନ୍ଦ ଗେହଲୋତ ଶିବକୁମାରଙ୍କୁ ସରକାର ଗଠନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ଅନୁମତି ଆଧାରରେ ଜୁନ୍ ୩ ଅପରାହ୍ଣ ୫ଟା ୧୫ରେ ଶିବକୁମାର ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲୋକଭବନ (ରାଜଭବନ)ର ଗ୍ଲାସ ହାସଉରେ ଏକ ନିରାଡମ୍ବର ଉତ୍ସବରେ ଶିବକୁମାରଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ।