ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ସ୍କୁଲ କର୍ତ୍ତୃପକ୍ଷ ପ୍ରକାଶ କରିବେ, ନିୟମାବଳୀ ଜାରି

ଭୁବ‌ନେଶ୍ବର,୩/୫ : ସିବିଏସ୍‌ଇ ଦଶମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍କୁଲ କର୍ତ୍ତୃପକ୍ଷ ପ୍ରକାଶ କରିବେ। କେଉଁ ଆଧାରରେ ଓ କିଭଳି ଫଳ ପ୍ରକାଶ କରାଯିବ, ସେନେଇ ସିବିଏସ୍‌ଇ ପକ୍ଷରୁ ନି‌ୟମାବଳୀ ଜାରି ହୋଇଛି। ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଆଧାରରେ ହିଁ ପିଲାଙ୍କୁ ମାର୍କ ମିଳିବ। ପରୀକ୍ଷାର୍ଥୀଙ୍କୁ ମାର୍କ ଦେବା ଲାଗି ଏକ ୮ଜଣିଆ କମିଟି ଗଠନ କରାଯିବ। ସ୍କୁଲର ଅଧ୍ୟକ୍ଷ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଆଉ ୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଏହି କମିଟିର ସଦସ୍ୟ ରହିବେ। ଉକ୍ତ ୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୫ଜଣ ସମ୍ପୃକ୍ତ ସ୍କୁଲର ହୋଇଥିବେ। ସେମାନେ ଗଣିତ, ସୋସିଆଲ ସାଇନ୍ସ, ସାଇନ୍ସ ଓ ଦୁଇଟି ଭାଷା(ଲାଙ୍ଗୁଏଜ୍‌) ବିଷୟରେ ଶିକ୍ଷା ପ୍ରଦାନ କରୁଥି‌ବେ। ନିକଟସ୍ଥ ସ୍କୁଲର ଦୁଇଜଣ ଶିକ୍ଷକ କମିଟିର ଏକ୍ସଟରନାଲ ସଦସ୍ୟ ଭାବେ କମିଟିରେ ସ୍ଥାନ ପାଇବେ। ଯେଉଁ ଶିକ୍ଷକମାନେ କମିଟିରେ ରହିବେ, ସେମାନେ ଦଶମ ଶ୍ରେଣୀରେ ପଢ଼ାଉଥିବା ଆବଶ୍ୟକ। ଦୁଇଟି ସ୍କୁଲ ଭିତରେ ଶିକ୍ଷକ ପରିବର୍ତ୍ତନ ହୋଇପାରିବ ନାହିଁ। ଏକ୍ସଟରନାଲ ଶିକ୍ଷକମାନେ ଗୋଟିଏ ମ୍ୟାନେଜ୍‌ମେଣ୍ଟ ଦ୍ବାରା ପରିଚାଳିତ ସ୍କୁଲର ଶିକ୍ଷକ ହୋଇ ନଥିବା ଆବଶ୍ୟକ। ସ୍କୁଲ କିମ୍ବା ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟ ହୋଇ ନଥିବେ। ଏମାନଙ୍କ ବ୍ୟତୀତ ସିବିଏସ୍‌ଇ ମଧ୍ୟ ଏହି କମିଟିକୁ ଦୁଇଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରେ। ପରୀକ୍ଷା ଫଳ ପ୍ରସ୍ତୁତିରେ ସ୍ବଚ୍ଛତା ରକ୍ଷା ଦିଗରେ ଏହି କମିଟି କାର୍ଯ୍ୟ କରିବ।

Comments are closed.