ରାଜ୍ୟରେ ଦିନରେ ଗୁଳୁଗୁଳି : ୧୯ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର,୧୬/୦୫ : ମେ ମାସ ତୃତୀୟ ସପ୍ତାହ (୨୨ରୁ ୨୮ ତାରିଖ)ରେ ମୌସୁମୀ କେରଳ ଛୁଇଁପାରେ । ଏହି ସମୟରେ ମୌସୁମୀ ବାୟୁ ଉତ୍ତର ପୂର୍ବ ରାଜ୍ୟକୁ ମଧ୍ୟ ଅଗ୍ରସର ହୋଇପାରେ । ୧୫ ରୁ ୨୧ ତାରିଖ ଭିତରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨୨ରୁ ୨୮ ତାରିଖ ଭିତରେ ବି ବର୍ଷା ପରିମାଣ ବଢ଼ିପାରେ । ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ଘଡ଼ଘଡ଼ି ଓ ବର୍ଷା ଅଛି । ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଜଳିବ ପଶ୍ଚିମ ଓଡ଼ିଶା । ବୌଦ୍ଧ, ଟିଟିଲାଗଡ଼, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ନୂଆପଡ଼ାରେ ତାତି ୪୨ ଡିଗ୍ରୀ ସେଲସିୟସ୍‌ ବା ଏହାଠାରୁ ଅଧିକ ଟପିପାରେ। କମ୍‌ ତାତି ଥାଇ ବି ଅଧିକ ଆର୍ଦ୍ରତା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହେଉଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍‌ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍‌ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଅନୁଭୂତ ହେବ। ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍‌କା ୪୦ରୁ ୫୦ କିମି ଯାଏ ଛୁଇଁପାରେ। ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ଝଟ୍‌କା ଦେଇପାରେ ବୋଲି ଆକଳନ କରାଯାଇଛି । ୧୭ ତାରିଖ ବା ଶନିବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିପାରେ। ସନ୍ଧ୍ୟାରେ ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍‌କା ୩୦ କିମି ଯାଏ ଛୁଇଁପାରେ।