ICAI ଭବନରେ ‘ମହିଳା ସିଏଙ୍କର ରାଷ୍ଟ୍ର ବିକାଶରେ ଭୂମିକା’ ସମ୍ପର୍କୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : (ଓଡିଶା ଖବର) – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI)ର ଭୁବନେଶ୍ୱର ଶାଖାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ ICAI ଭବନରେ ‘ମହିଳା ସିଏଙ୍କର ରାଷ୍ଟ୍ର ବିକାଶରେ ଭୂମିକା’ ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀ ଗୀତା ଦାଶ, ଡିଏନ୍ ହୋମ୍ସ ପ୍ରାଇଭେଟ୍ ଲିମଟେଡ୍‌ର ଡାଇରେକ୍ଟର ରତ୍ନମାଳା ସ୍ୱାଇଁ, ଭାରତୀୟ ଅଭିନେତ୍ରୀ ଓ ରାଜନେତ୍ରୀ ଅନୁ ଚୌଧୁରୀ ଏବଂ ଉତ୍କଳ ହସ୍ପିଟାଲର ସିନିୟର ଗାଇନେକୋଲୋଜିଷ୍ଟ ଓ ଇନଫର୍ଟିଲିଟି ସ୍ପେଶିଆଲିଷ୍ଟ ଡା.ଅଭିପ୍ସା ମିଶ୍ର ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସିଏ ଗୌତମ ଲେଙ୍କା, ଉପାଧ୍ୟକ୍ଷ ସିଏ ପୃଥ୍ୱୀ ରଞ୍ଜନ ପାଢ଼ୀ ଓ ଛାତ୍ର ସଙ୍ଗଠନର ଅଧ୍ୟକ୍ଷ, ସଚିବ ଏବଂ କୋଷାଧ୍ୟକ୍ଷ ସିଏ ସୌମ୍ୟ ସୁନୀଲ ସାହୁ ଉପସ୍ଥିତ ରହି ଅଂଶ ଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମହିଳା ସଦସ୍ୟମାନେ ‘She Rose with courage, She Stands with Integrity ‘ ଶୀର୍ଷକ ବିଷୟ ଉପରେ ନିଜ ଚାର୍ଟାଡ୍‌ର୍ ଆକାଉଣ୍ଟାଣ୍ଟ ଜୀବନଯାତ୍ରାର ଅନୁଭବ ଓ ସଫଳତାକୁ ଆଧାର କରି ସଂକ୍ଷିପ୍ତ ଲେଖା ପ୍ରଦାନ କରିଥିଲେ । ଚୟନିତ ଲେଖାଗୁଡ଼ିକ କାର୍ଯ୍ୟକ୍ରମ ସମୟରେ ପ୍ରସ୍ତୁତ କରାଯାଇଥିଲା ଏବଂ ସେହି ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଅତିଥିମାନଙ୍କ ଦ୍ୱାରା ଏକ ଚିତ୍ରକଳା ପ୍ରଦର୍ଶନୀ (Art Exhibition)ର ଉଦ୍‌ଘାଟନ କରାଯାଇଥିଲା ଯାହା ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କର ରାଜନୀତି, ପ୍ରଶାସନ, ଅର୍ଥନୀତି, ସାମାଜିକ କଲ୍ୟାଣ, ବିଜ୍ଞାନ, ଶିଳ୍ପ ଅଭିବୃଦ୍ଧି ଓ ପ୍ରତିରକ୍ଷା ସେବା ସହିତ ବିଭିନ୍ନ କ୍ଷେତ୍ରରେ ଅର୍ଜିତ ସଫଳତାକୁ ପାଳନ କରିବାର ଏକ ସୁଯୋଗ ଦେଇଥାଏ । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୃତ୍ତିରେ ମଧ୍ୟ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ନିଜ ଦକ୍ଷତା ଓ ସଫଳତା ପ୍ରତିପାଦିତ କରିପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ସଦସ୍ୟ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।