ଭୁବନେଶ୍ୱର, ୦୭/୧ : ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠର ଚାଲିଛି ରୂପାନ୍ତରଣ । ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ । ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ । ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମନ୍ଦିରର ସୌନ୍ଦର୍ୟ୍ୟକରଣ ସହିତ ଭକ୍ତ ମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ୟ୍ୟ ସମୀକ୍ଷା କରିଛନ୍ତି ।