ଭୁବନେଶ୍ୱର, ୧୬/୦୫ : ଆଜି ହେଉଛି ସାବିତ୍ରୀ ଓଷା । ଜ୍ୟୈଷ୍ଠ ମାସ ଅମାବାସ୍ୟା ତିଥିର ସାବିତ୍ରୀ ବ୍ରତ ହେଉଥିବାରୁ ଏହାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଇଛି । ସ୍ୱାମୀଙ୍କ ମଙ୍ଗଳ ମନାସୀ ଏବଂ ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ସାବିତ୍ରୀ ଓଷା କରନ୍ତି । ଖାଲି ସଧବା ନୁହେଁ ଓଡ଼ିଶାରେ ଆଉ ଏକ ଭିନ୍ନ ପରମ୍ପରା ମଧ୍ୟ ରହିଛି । କିନ୍ନର ସମାଜ ମଧ୍ୟ ସାବିତ୍ରୀ ବ୍ରତ କରନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ କିନ୍ନର ସମାଜ ଏକାଠି ହୋଇ ବରଗଛ ମୂଳରେ ସାବିତ୍ରୀ ପୂଜା କରିଛନ୍ତି । କଟକ ସହରର ଶଙ୍କରପୁର ଅଞ୍ଚଳରେ ଥିବା କିନ୍ନର ମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏକାଠି ହୋଇ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପୂଜା କରିବା ସହିତ ଫଳ ଭୋଗ ଲଗାଇଛନ୍ତି। କଟକରେ ସାବିତ୍ରୀ ବ୍ରତ ପାଳୁଥିବା କିନ୍ନରମାନେ ନିଜ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି । ଏହା ସହ ସମାଜର ମଙ୍ଗଳ ମାନସୀ ସେମାନେ ସାବିତ୍ରୀ ପାଳନ କରିଥାନ୍ତି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କିନ୍ନର ସମାଜ ଏକାଠି ସାବିତ୍ରୀ ପୂଜା କରିଥିବା ଦେଖିବାକୁ ମିଳିଛି । କିନ୍ନର ସମାଜ ସଭାପତି ମୀରା ପରିଡ଼ା ଏବଂ ତାଙ୍କ ସାଥିମାନେ ପୂଜା କରିବା ସହିତ ମା ସାବିତ୍ରୀଙ୍କ ଆଶିଷ ଭିକ୍ଷା କରିଛନ୍ତି ।