ନୂଆଦିଲ୍ଲୀ, ୧୬/୧୧ : ୧୯ ବର୍ଷରୁ କମ ଏସିଆ କପ ଫାଇନାଲରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୧ ୱିକେଟରେ ହରାଇଛି । ଟାଇଟଲ ଜିତିବା ପରେ ଭାରତର ବିଜୟ ସେଲିବ୍ରେସନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ସେଲିବ୍ରେସନ ବେଳର କିଛି ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପାକିସ୍ତାନ ଖେଳାଳି ସମ୍ମୁଖରେ ଭାରତୀୟ ଖେଳାଳି ବିବାଦୀୟ ଅଙ୍ଗଭଙ୍ଗୀ ସହିତ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ କିଛି ଏହାକୁ ନାପସନ୍ଦ କରୁଥିବା ବେଳେ ଭାରତୀୟ ଖେଳାଳି ୟଶବୀର ଗୌଡ଼ ଏହାକୁ ନେଇ ମୁହଁ ଖୋଲିଛନ୍ତି । ଫାଇନାଲ ମ୍ୟାଚର ସେଲିବ୍ରେସନକୁ ନେଇ ୟଶବୀର ଗୌଡ଼ କହିଛନ୍ତି, ଗ୍ରୁପ ଷ୍ଟେଜ ମ୍ୟାଚରେ ଦୀପାବଳି ଅବସରରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ପାକିସ୍ତାନ ଭାରତକୁ ୩ ଓ୍ବିକେଟରେ ହରାଇଥିଲା । ଭାରତୀୟ ଟିମ୍ ଅର୍ଜୁନ ରାଜପୁତଙ୍କ ଶତକ ବଳରେ ୨୦୮ ରନ କରିଥିଲା କନ୍ତୁ ହମଜା ଜରୁରଙ୍କ ଶତକୀୟ ଇନିଂସରେ ପାକିସ୍ତାନ ଜିତିଯାଇଥିଲା । ଏହି ମ୍ୟାଚ ସମୟରେ ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଅପଶବ୍ଦ ମଧ୍ୟ ବ୍ୟବହାର ହୋଇଥିଲା । ମ୍ୟାଚ୍ ହାରିଥିବା କାରଣରୁ ଭାରତୀୟ ଖେଳାଳି ମଇଦାନରେ କିଛି ଜବାବ ଦେଇନଥିଲେ ।
ସେ ଆହୁରି କହିଛନ୍ତି, ଲିଗ ଷ୍ଟେଜରେ ସେମାନେ ଆମକୁ ହରାଇ ଯେଉଁଭଳି ଭାବେ ସେଲିବ୍ରେସନ କରିଥିଲେ ଆମେ ଏହାକୁ ବ୍ୟକ୍ତିଗତ ନେଇ ନ ଥିଲୁ । ସେମାନେ ସେମାନଙ୍କର ବିଜୟକୁ ସେଲିବ୍ରେସନ କରୁଥିଲେ । ଆମେ ବି ଠିକ୍ ସେହିଭଳି ଫାଇନାଲକୁ ଅପେକ୍ଷା କରିଥିଲୁ । ଆମେ ଆମର ବିଜୟକୁ ସେଲିବ୍ରେସନ କରିଥିଲୁ । ଏଥିରେ ଇମୋସନ, ଆଗ୍ରେସନ ଆଦି ସବୁକିଛି ଥିଲା । ଆମେ ସେମାନଙ୍କ ଦେଖାଇ କିଛି କରୁ ନଥିଲୁ । ଆମେ ନିଜ ଭିତରେ ସେଲିବ୍ରେଟ୍ କରିଥିଲୁ । ଏହା ପୂର୍ବରୁ ବିସିସିଆଇ ମଧ୍ୟ ଏନେଇ ପ୍ରତିକ୍ରିୟା ରଖି ସାରିଛି । ବିସିସିଆଇ ଭାରତୀୟ ଖେଳାଳିଙ୍କ ଆବେଗଭରା ସେଲିବ୍ରେସନକୁ ସମର୍ଥନ କରିଛି । ପାକିସ୍ତାନ ହାତରୁ ଅବିଶ୍ୱାସନୀୟ ବିଜୟ ଛଡ଼ାଇ ଆଣିବା ପରେ ଖେଳାଳିମାନଙ୍କର ସେମାନଙ୍କର ଇମୋସନକୁ ପ୍ରକାଶ କରିବାର ଅଧିକାର ରହିଛି ବୋଲି ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି ।