ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ, ୨୬/୧୨ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ବକ୍ସିଂ ଡେ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯିବ । ବର୍ଡର-ଗାଭାସ୍କର ଟ୍ରଫିର ଏହା ହେଉଛି ଚତୁର୍ଥ ଟେଷ୍ଟ। ଏ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ସ୍ଥିତିରେ ରହିଛି। ଡବ୍ଲ୍ୟୁଟିସି ଫାଇନାଲ୍ ଦୃଷ୍ଟିରୁ ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ଵପୂର୍ଣ୍ଣ।  ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୫ଟାରୁ ଆରମ୍ଭ ହୋଇଛି । ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ଏବଂ ଓଟିଟି ପ୍ଲାଟଫର୍ମ ହଟ୍‌ଷ୍ଟାର ଆପ୍‌ରେ ହେବ। ଭାରତୀୟ ଦଳ ଏହି ମ୍ୟାଚ୍‌ରେ କିଛି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇପାରେ।  ଅଧିନାୟକ ରୋହିତ ଶର୍ମା ଯଶସ୍ଵୀ ଜୟସ୍ଵାଲଙ୍କ ସହ ଇନିଂସ ଓପନ କରି ପାରନ୍ତି। ଦ୍ଵିତୀୟ ଓ ତୃତୀୟ ଟେଷ୍ଟରେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ଅନ୍ୟପଟେ ଶୁଭମନ ଗିଲ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ଗିଲ୍‌ଙ୍କ ସ୍ଥାନରେ ତିନି ନମ୍ବରରେ କେଏଲ ରାହୁଲ ବ୍ୟାଟିଂ କରି ପାରନ୍ତି।  ମେଲବର୍ଣ୍ଣର ପିଚ୍ ସ୍ପିନରଙ୍କୁ ସୁହାଇଥାଏ। ଏହି କାରଣରୁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦର ଉଭୟଙ୍କୁ ସୁଯୋଗ ମିଳିପାରେ। ଟସ୍ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି। ଅଷ୍ଟ୍ରେଲିଆ ଏହି ଟେଷ୍ଟ ପାଇଁ  ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି। କଙ୍ଗାରୁ ଦଳରେ ୧୯ ବର୍ଷୀୟ ସ୍ୟାମ କୋନଷ୍ଟାସଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ନାଥନ ମ୍ୟାକସ୍ଵିନିଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି। ଆହତ ଜୋଶ ହେଜେଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।

ଅଷ୍ଟ୍ରେଲିଆ ଟିମ : ଉସ୍ମାନ ଖ୍ଵାଜା, ସ୍ୟାମ କୋନଷ୍ଟାସ, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ, ମିଚେଲ୍ ମାର୍ଶ, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ନାଥନ ଲିୟୋନ, ମିଚେଲ୍ ଷ୍ଟାର୍କ ଓ ସ୍କୋଟ ବୋଲାଣ୍ଡ।

ଭାରତୀୟ ଟିମ : ଯଶସ୍ଵୀ ଜୟସ୍ଵାଲ, ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, ଆକାଶଦୀପ, ଯଶପ୍ରୀତ ବୁମର ଓ ମହମ୍ମଦ ସିରାଜ।