ଛତିଶଗଡ଼ରୁ ୫୦ଲକ୍ଷ ଟଙ୍କାର ଚୋରି ସୁନା ଓ ରୁପା ଗଞ୍ଜାମରୁ ଉଦ୍ଧାର

ଆସିକା : ଛତିଶଗଡ଼ ସରଗୁଜା ଜିଲ୍ଲା ସୀତାପୁର ଅଞ୍ଚଳରୁ ଜଣେ ସୁନାଦୋକାନୀଙ୍କ ଠାରୁ ଦୁର୍ବୃତ୍ତମାନେ ବ୍ୟାଗ୍‌ଭର୍ତ୍ତି ସୁନା ଓ ରୁପାଳଙ୍କାର ଲୁଟିନେଇଥିଲେ। ଏହି ମାମଲାରେ ପାଟପୁର ପୁଲିସ ଚଢ଼ାଉ କରି ସୋରଡ଼ା ଥାନା ଅଞ୍ଚଳର ଏକ ବସ୍ତିରୁ ଲୁଟ ସୁନା ଓ ରୁପା ଜବତ କରାଯାଇଛି। ଜବତ ହୋଇଥିବା ଅଳଙ୍କାର ମଧ୍ୟରେ ୩୦୦ ଗ୍ରାମ ସୁନା ଓ ୧୪୦୦ଗ୍ରାମ ରୁପା ରହିଛି। ଏହାର ମୋଟ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ।

ପୁଲିସ ଦେଇଥିବା ସୂଚନାନୁସାରେ, ସୀତାପୁର ଅଞ୍ଚଳରୁ ୨୬ ଜୁଲାଇ ପୂର୍ବାହ୍ନରେ ସୁନା ଦୋକାନୀ ଏକ ବ୍ୟାଗ ରେ ସୁନା ରୁପା ଅଳଙ୍କାର ନେଇ ଦୋକାନ ଖୋଲିବା ପାଇଁ ଯାଉଥିଲେ। ଲୁଟେରାମାନେ ଦୋକାନୀଙ୍କ ଠାରୁ ବ୍ୟାଗ୍‌ ଛଡାଇ ଫେରାର୍‌ ହୋଇଥିଲେ। ଏହି ଘଟଣାରେ ସାଇବର ସେଲ ଓ ସିସି ଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ।

ଏସ୍‌ଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌ ଏହି ମାମଲାର ତଦନ୍ତ କରି ସୋରଡ଼ା ଥାନା ଅଞ୍ଚଳରୁ ଲୁଟ ଅଳଙ୍କାର ଜବତ କରିବାରେ ସଫଳ ହୋଇଛି।

ଏହି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି, ତେବେ ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ଛତିଶଗଡ଼ ସୀତାପୁର ଥାନାର ଏସ୍‌ଆଇ ରଘୁନାଥ ରାମ ଭଗତଙ୍କ ସହିତ ଏକ ଟିମ୍‌କୁ ଜବତ ଅଳଙ୍କାର ହସ୍ତାନ୍ତର କରାଯାଇଛି।