ନୂଆଦିଲ୍ଲୀ, ୦୯/୦୯ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ଲାଗିରହିଥିବା ତିକ୍ତତା ଦୂର ହେବାର ଆଶା କ୍ଷୀଣ ଦେଖାଯାଉଛି। ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ବର୍ତ୍ତମାନର ତାରିକ୍ ରହମାନ ସରକାର ଭାରତ ଆଗରେ କଡ଼ା ସର୍ତ୍ତ ରଖିଛନ୍ତି। ବାଂଲାଦେଶର ସୂଚନା ଉପଦେଷ୍ଟା ଜାହେଦ ଉର ରହମାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ଯଦି ଶେଖ ହସିନାଙ୍କୁ ବାଂଲାଦେଶକୁ ଫେରାଏ, ତେବେ ଯାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ। ଏତିକି ନୁହେଁ, ବାଂଲାଦେଶ ସରକାର ହସିନାଙ୍କୁ ଗିରଫ କରି ଆଣିବାକୁ ଚାହୁଁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ ନିଜ ଇଚ୍ଛାରେ ଦେଶକୁ ଫେରିବା ପର୍ଯ୍ୟନ୍ତ ବାଂଲାଦେଶ ଅପେକ୍ଷା କରିପାରିବ ନାହିଁ, ବରଂ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ତାଙ୍କୁ ଫେରାଇ ଆଣିବାକୁ ସରକାର ଚାହୁଁଛନ୍ତି। ସୂଚନାଯୋଗ୍ୟ, ୫ ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କୁ କ୍ଷମତାରୁ ହଟାଯିବା ପରେ ଇଣ୍ଟରନ୍ୟାସନାଲ କ୍ରିମିନାଲ ଟ୍ରିବ୍ୟୁନାଲ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଶେଖ ହସିନା ଆସନ୍ତା ଡିସେମ୍ବର ୨୦୨୬ରେ ବାଂଲାଦେଶ ଫେରି ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ଘୋଷଣା କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ପୂର୍ବ ଅନ୍ତରୀଣ ସରକାର ଆତଙ୍କବାଦ ନିରୋଧୀ ଆଇନ ଅଧୀନରେ ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫଳସ୍ୱରୂପ ଫେବୃଆରୀ ୨୦୨୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଆୱାମୀ ଲିଗକୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇନଥିଲା। ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ, ସୂଚନା ଉପଦେଷ୍ଟା କହିଛନ୍ତି ଯେ ବର୍ତ୍ତମାନ ହସିନାଙ୍କ ପାଖରେ ଆବେଦନ କରିବାର କୌଣସି ବିକଳ୍ପ ନାହିଁ। ସେ ଦେଶକୁ ଫେରିବା ମାତ୍ରେ ତାଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ। ଏହା କେବଳ ଭାରତ ଉପରେ ଚାପ ପକାଇବା ପାଇଁ କୌଣସି ରଣନୀତି ନୁହେଁ। ବାଂଲାଦେଶ ସରକାର ହସିନାଙ୍କୁ ଫେରାଇ ଆଣିବା ନେଇ ବେଶ୍ ଗମ୍ଭୀର ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଭାରତ ଗସ୍ତର ସର୍ତ୍ତରେ ମଧ୍ୟ ପ୍ରତ୍ୟର୍ପଣ ପ୍ରସଙ୍ଗକୁ ସାମିଲ କରାଯାଇଛି।