ନୂଆଦିଲ୍ଲୀ, ୬/୬: ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସୀମାକୁ ନେଇ ଉପୁଜିଥିବା ବିବାଦ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ପୂର୍ବ ଲଦାଖରେ ପାଖାପାଖି ଏକ ମାସ ହେବ ଉତ୍ତେଜନା ଦେଖାଯାଇଛି । ଏହାରି ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଆଜି ଆଲୋଚନା ହେବ । ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନିଜର ଚୀନ ସମକକ୍ଷ ଚୀନୀ ମେଜର ଜେନେରାଲ ଲିୟୁଙ୍କ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ଗତିରୋଧକୁ ନେଇ ଆଲୋଚନା କରିବେ । ଏହି ବୈଠକ ଭାରତ-ଚୀନ ସୀମା ନିକଟ ଚୁଶୁଲ ମୋଲ୍ଡରେ ହେବ । ଏହି ବୈଠକକୁ ନେଇ ଉଭୟ ଦେଶ ବ୍ୟତୀତ ବିଶ୍ୱର ଶକ୍ତିଶାଳୀ ଦେଶ ମଧ୍ୟ ନଜର ରଖିଛନ୍ତି । ଏବେ ବୈଠକ ଶେଷ ହେବା ପୂର୍ବରୁ ସମସ୍ତଙ୍କର ମନରେ କେବଳ ଗୋଟିଏ ପ୍ରଶ୍ନ ଯେ, ବିବାଦ ଶେଷ ହେବ କି?
ଏହି ବିବାଦକୁ ଶେଷ କରିବା ପାଇଁ କମାଣ୍ଡର ପ୍ରତିନିଧି ମଣ୍ଡଳ ଓ ହାଇଏସ୍ଟ କମାଣ୍ଡର ସ୍ତରରେ ପାଖାପାଖି ୧୨ଟି ପର୍ଯ୍ୟାୟରେ ବୈଠକ ହୋଇସାରିଛି । କିନ୍ତୁ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ନାହିଁ । ବିବାଦ ଶେଷ କରିବା ପାଇଁ ଆଶା ଏବେ ବି ଜୀବିତ । କାରଣ ପ୍ରଥମ ଥର ଉଭୟ ଦେଶର ବିଦେଶ ମନ୍ତ୍ରାଳୟ ମଧ୍ୟରେ ଶୁକ୍ରବାର ଆଲୋଚନା ହୋଇଛି । ଯୁଗ୍ମ ସଚିବ ସ୍ତରରେ ହୋଇଥିବା ଆଲୋଚନାରେ ଉଭୟ ଦେଶ ଜଣେ-ଅନ୍ୟର ଭାବନାକୁ ସମ୍ମାନ ଦେଇଛନ୍ତି ।
ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଏହି ବୈଠକରେ ପ୍ରଥମେ ଲିଖିତ ଏଜେଣ୍ଡା ସେୟାର କରାଯିବ । ବୈଠକରେ ଏହି ଏଜେଣ୍ଡା ଉପରେ ଆଲୋଚନା ହେବ । ଏହା ବ୍ୟତୀତ ଯଦି କୌଣସି ପକ୍ଷ ଆହୁରି କିଛି ପ୍ରସଙ୍ଗ ଉଠାନ୍ତି, ଏହା ମଧ୍ୟ ଆଲୋଚନା ହୋଇପାରିବ । ଗଲୱାନ, ପୌଙ୍ଗୋଗ ତ୍ୟୋସ ଓ ଗୋଗରା ଅଂଚଳ ସଂପର୍କରେ ଆଲୋଚନା ହେବ ।