ନୂଆଦିଲ୍ଲୀ,୭/୧ : ବିଶ୍ବର ତୃତୀୟ ବୃହତ ଗାଡ଼ି ବଜାର ଭାବେ ଭାରତ ଉଭା ହୋଇଛି। ଜାପାନକୁ ଏହା ତୃତୀୟ ସ୍ଥାନରୁ ପଦଚ୍ୟୁତ କରିଛି। ୨୦୨୨ରେ ଭାରତରେ ୪୪ ଲକ୍ଷ ୪୦ ହଜାରରୁ ଅଧିକ ନୂଆ ଗାଡ଼ି ଗ୍ରାହକଙ୍କୁ ହସ୍ତାନ୍ତର ହୋଇଛି। ଏହି ସମୟରେ ଜାପାନରେ ଭାରତଠାରୁ କମ୍ ୪୨ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍) ଜାରି କରିଥିବା ରିପୋର୍ଟ ଆଧାରରେ ଏହା କୁହାଯାଉଛି। ଏଥିରେ ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚରେ ବିକ୍ରି ହେବାକୁ ଥିବା ଗାଡ଼ି ତଥ୍ୟ ସାମିଲ କରାଯାଇନାହିଁ। ତେଣୁ ଚଳିତ ବର୍ଷ ମାର୍ଚ୍ଚରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ବେଳକୁ ଜାପାନଠାରୁ ଭାରତ ବହୁ ଆଗରେ ରହିବ ବୋଲି ନିକେଇ ଏସିଆ ପକ୍ଷରୁ ଆକଳନ କରାଯାଇଛି।
୨୦୨୧ରେ ଦୁଇ କୋଟି ୬୨ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ସହ ଚୀନ୍ ବିଶ୍ବର ସର୍ବବୃହତ ଗାଡ଼ି ବଜାର ସ୍ଥାନକୁ ବଜାୟ ରଖିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଆମେରିକାରେ ୧.୫୪ କୋଟି ଗାଡ଼ି ବିକ୍ରି ହୋଇଥିଲା। ଜାପାନରେ ୪୪ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା। ଗତ କିଛି ବର୍ଷ ଧରି ଭାରତର ଗାଡ଼ି ବଜାର କିନ୍ତୁ ଅସ୍ଥିର ଥିଲା। ୨୦୧୮ରେ ଭାରତରେ ୪୪ ଲକ୍ଷ, ୨୦୧୯ରେ ୪୦ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା। କୋଭିଡ୍ ମହାମାରୀ ପ୍ରଭାବ ଯୋଗୁ ୨୦୨୦ରେ ବିକ୍ରି ସଂଖ୍ୟା ୩ ଲକ୍ଷକୁ ଖସିଯାଇଥିଲା। ୨୦୨୧ରେ ବଜାରରେ ସୁଧାର ହେବା ସହ ୪୦ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା।
ଭାରତରେ ମାତ୍ର ୮.୫ ପ୍ରତିଶତ ପରିବାରରେ କାର୍ ରହିଛି। ତେଣୁ ଅଭିବୃଦ୍ଧି ଲାଗି ଏଠାରେ ବ୍ୟାପକ ସୁଯୋଗ ଅଛି। ଭାରତରେ ଏବେବି ପେଟ୍ରୋଲ ଚାଳିତ ଗାଡ଼ି ଅଧିକ ବିକ୍ରି ହେଉଛି। ହାଇବ୍ରିଡ୍ ସଂଖ୍ୟା ନାମମାତ୍ର ଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ମଧ୍ୟ ନଗଣ୍ୟ ସ୍ତରରେ ରହିଛି।
