ଆଇପିଏଲ : ଦିଲ୍ଲୀ କ୍ୟାପିଟାଲ୍‌ସକୁ ୨୦୧ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ଵାଇ ଇଣ୍ଡିଆନ୍‌ସ

ଦୁବାଇ : ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚରେ‌ ଆଜି ଡ଼ିଫେଣ୍ଡିଙ୍ଗ ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମୁହାଁମୁହିଁ ହୋଇଛନ୍ତି । ଆଜିର ମ୍ୟାଚରେ ମୁମ୍ବଇ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପାଇଁ ୨୦୧ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ମୁମ୍ବଇ ଇଣ୍ଡିଆନ୍ସ ଇଶାନ କିଷନ ଓ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଛି। ଶେଷ ୩ ଓଭରରେ ମୁମ୍ବାଇ ୫୫ ରନ କରିବାରୁ ଦଳ ୨୦୦ ରନ କରି ପାରିଛି।

ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ରବିଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ସଫଳତା ପାଇଥିଲେ। ଅନରିଚ ନୋର୍ତ୍ତଜେ ଓ ମାର୍କସ ଷ୍ଟୋଇନିସ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।