ଜଙ୍ଗଲୀ ବାଦାମ’ର ରହିଛି ଅନେକ ଔଷଧୀୟ ଗୁଣ, ଦେଇଥାଏ ଏହି ଲାଭ

ବାଦାମ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଲୋକମାନେ ବାଦାମକୁ ପାଣିରେ ଭିଜାଇ, ବିଭିନ୍ନ ମିଠାରେ ମିଶାଇ କିମ୍ବା ଅନ୍ୟାନ୍ୟ ରେସିପିରେ ବ୍ୟବହାର କରି ଖାଇଥାଆନ୍ତି । ଏହା ସାଧାରଣ ବାଦାମ । କିନ୍ତୁ ଆପଣ ଜାଣନ୍ତି କି, ଏକ ପ୍ରକାର ଜଙ୍ଗଲୀ ବାଦାମ ମଧ୍ୟ ରହିଛି, ଯାହା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଉଚ୍ଚ ସ୍ଥାନରେ ଦେଖିବାକୁ ମିଳିଥାଏ ।

ଜଙ୍ଗଲୀ ବାଦାମର ଫଳ ଟିକେ ଚେପଟା, ଧାରୁଆ ଏବଂ ଅଣ୍ଡାକାର ହୋଇଥାଏ । ଏହାର ଧାର ଲାଲ ଓ ବାଇଗଣୀ ରଙ୍ଗର ହୋଇଥାଏ ଏବଂ ପ୍ରତ୍ୟେକ ଫଳରେ ଗୋଟିଏ ମଞ୍ଜି ରହିଥାଏ । ଋତୁ ଅନୁସାରେ ଏହି ଫଳ ଓ ଫୁଲ ଫୁଟିଥାଏ । ଜଙ୍ଗଲୀ ବାଦାମକୁ ବିଭିନ୍ନ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ଜଙ୍ଗଲୀ ବାଦାମରେ ଅନେକଚମତ୍କାରୀ ଗୁଣ ରହିଛି । ଏହାର ଛେଲି, ପତ୍ର ଏବଂ କଞ୍ଚା ଫଳକୁ ମଧ୍ୟ ବିଭିନ୍ନ ଉପଚାରରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ବିଷୟରେ ଜାଣିବା ।

ମୁଣ୍ଡବିନ୍ଧାରୁ ଆରାମ ଦିଏ: ଜଙ୍ଗଲୀ ବାଦାମ ଖାଇବା ଦ୍ୱାରା ମୁଣ୍ଡବିନ୍ଧା କମିଥାଏ ବୋଲି କୁହାଯାଏ । ବିଶେଷଜ୍ଞଙ୍କ ଅନୁସାରେ, ଜଙ୍ଗଲୀ ବାଦାମର ପତ୍ରରୁ ରସ ବାହାର କରି ନାକରେ ୧-୨ ବୁନ୍ଦ ପକାଇବା କିମ୍ବା ଏହି ରସ ପିଇବା ଦ୍ୱାରା ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ । କେତେକ ଲୋକ ବାଦାମର ମଞ୍ଜିକୁ ସୋରିଷ ତେଲ ସହିତ ବାଟି ମୁଣ୍ଡରେ ମଧ୍ୟ ଲଗାଇଥାଆନ୍ତି । ଯାହାଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ ବୋଲି କୁହାଯାଏ ।

ଲାଟିନ୍ ରୋକିବାରେ ସହାୟକ: ଯଦି ଆପଣ ଲାଟିନ୍ ସମସ୍ୟାରେ ପୀଡ଼ିତ ଏବଂ ଶୀଘ୍ର ଆରାମ ପାଇବାର ଉପାୟ ଖୋଜୁଛନ୍ତି ତେବେ ଜଙ୍ଗଲୀ ବାଦାମ ବ୍ୟବହାର କରିପାରିବେ । ଏହି ବାଦାମର ପତ୍ର ଓ ଛେଲିରେ ଟାନିନ୍ ଥାଏ, ଯାହା ଲାଟିନ୍ ରୋକିବାରେ ସହାୟକ କରିଥାଏ । ଯଦି କେବଳ ପେଟ ଯନ୍ତ୍ରଣା ହେଉଛି, ତେବେ ଜଙ୍ଗଲୀ ବାଦାମର ପତ୍ରରୁ ରସ ବାହାର କରି ସେଥିରେ କଳା ଲୁଣ ମିଶାଇ ୫ ମିଲିଲିଟର ପିଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗଣ୍ଠିବାତରୁ ଆରାମ ଦିଏ: ବୟସ ବଢ଼ିବା ସହିତ ଅନେକ ଲୋକଙ୍କଠାରେ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ । ଗଣ୍ଠିବାତରେ ପୀଡ଼ିତ ଲୋକଙ୍କ ପାଇଁ ଜଙ୍ଗଲୀ ବାଦାମର ପତ୍ର ଉପକାରୀ ହୋଇଥାଏ । ଏହି ସମସ୍ୟା ରୋକିବା ପାଇଁ ହେଲେ ଏହି ପତ୍ରକୁ ବାଟି ଗଣ୍ଠିରେ ଲଗାଇ ନିଅନ୍ତୁ । ନିୟମିତ ବ୍ୟବହାର କଲେ ଗଣ୍ଠିବାତ ଜନିତ ଯନ୍ତ୍ରଣାରୁ ଆରାମ ମିଳିଥାଏ ।

ଜ୍ୱରରୁ ଆରାମ ଦିଏ: ଯଦି ଜ୍ୱର ପାଇଁ ଘରୋଇ ଉପାୟ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଜଙ୍ଗଲୀ ବାଦାମ ଗଛର ଛେଲିରୁ କାଢ଼ା ପ୍ରସ୍ତୁତ କରି ପିଅନ୍ତୁ । ଯାହା ଦ୍ୱାରା ଜ୍ୱରରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଏହାର ମାତ୍ରା ଏବଂ ବ୍ୟବହାର ସମ୍ପର୍କରେ ଜାଣିବା ପାଇଁ ନିକଟସ୍ଥ ଆୟୁର୍ବେଦିକ ଚିକିତ୍ସକଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

ଜଙ୍ଗଲୀ ବାଦାମ କିପରି ବ୍ୟବହାର କରିବେ?

ଆୟୁର୍ବେଦ ଅନୁସାରେ, ଜଙ୍ଗଲୀ ବାଦାମ ଗଛର ଛେଲି, ପତ୍ର, ମଞ୍ଜି ଏବଂ ଫଳକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ । ଯଦି କୌଣସି ରୋଗ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ରହିଛି ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଜଣେ ଯୋଗ୍ୟ ଆୟୁର୍ବେଦିକ ଚିକିତ୍ସକଙ୍କ ପରାମର୍ଶ ନେବା ପରେ ହିଁ ଏହାର ବ୍ୟବହାର କରନ୍ତୁ ।