ଓଡିଶାରେ ଅଗ୍ନି ବର୍ଷା, ୪୩.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୧୯/୦୫ : ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୩.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ପୁଣିଥରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେବଳ ଝାରସୁଗୁଡ଼ା ନୁହେଁ, ରାଜ୍ୟର ୧୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୌଦ୍ଧରେ ୪୨.୮ ଡିଗ୍ରୀ, ଅନୁଗୋଳ ଓ ସମ୍ବଲପୁରରେ ୪୨.୩, ହୀରାକୁଦରେ ୪୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବାରିପଦା, ନୟାଗଡ଼, ତାଳଚେର, ବଲାଙ୍ଗିର, ଟିଟିଲାଗଡ଼ ଓ ଭବାନୀପାଟଣାରେ ମଧ୍ୟ ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ କଟକରେ ୩୯.୬ ଡିଗ୍ରୀ ରେକର୍ଡ ହୋଇଛି।

ପାଣିପାଗ ବିଭାଗ କହିଛି, ଆଗାମୀ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। କିନ୍ତୁ ତା’ପରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ। ଏହା ସହିତ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ତାତି ଓ ଝଡ଼ବର୍ଷାର ଡବଲ ମାଡ଼ ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି।