ଭୁବନେଶ୍ୱର, ୨୦/୦୫ : ଆଜି ଆସିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ଏକସଙ୍ଗେ ପ୍ରକାଶ ପାଇବ । ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ବାହାରିବ । ଆଜି ସାଢ଼େ ୧୨ଟା ରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ଅପରାହ୍ଣ ୩ ଟାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ୱେବସାଇଟ୍ results.odisha.gov.in ଓ results. digilocker.gov.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଚଳିତ ବର୍ଷ ସମୁଦାୟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷାରେ ପାସ୍ କରିଥିବା ପିଲାମାନେ କେବଳ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ନିଜ ଇଚ୍ଛା ମୁତାବକ କେବଳ ଗୋଟିଏ ବିଷୟରେ ହିଁ ଏହି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଏକାଧିକ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ନାହିଁ। ସେହିପରି ଗୋଟିଏ ପରୀକ୍ଷାରେ ଫେଲ୍ ହୋଇଥିବା ପିଲାମାନେ ପୂର୍ବପରି ଇନଷ୍ଟାଣ୍ଟ ପରୀକ୍ଷା ଦେବେ।