ନୂଆଦିଲ୍ଲୀ,୨୯/୭ : ୨୦୨୧-୨୨ ବଜେଟରେ ପ୍ରସ୍ତାବିତ କଳାହାଣ୍ଡି ରେଳ କାରଖାନା ନିର୍ମାଣକୁ ଅଗ୍ରାଧିକର ଭିତ୍ତିରେ କରାଯିବ। ଆଜି ଲୋକସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ ପ୍ରକଳ୍ପ ଖର୍ଚ୍ଚ ବାବଦରେ ସମୁଦାୟ ୧୮୬.୩୭ କୋଟି ବଜେଟ ଅଟକଳ ରହିଛି। ୱାର୍କସପ ନିର୍ମାଣ ଓ ରେଳ ସଂଯୋଗୀକରଣ ଲାଗି ଆବଶ୍ୟକ ୩୨୮.୩୫ ଏକର ଜମି ମଧ୍ୟରୁ ଓଡ଼ିଶା ସରକାର ଅଦ୍ୟାବଧି ମାତ୍ର ୧୪୧.୦୭ ଏକର ଜମି ରେଳବାଇକୁ ହସ୍ତାନ୍ତର କରିଛନ୍ତି। ୨୦୨୧-୨୨ ବର୍ଷରେ ଏହି ପ୍ରକଳ୍ପ ଲାଗି ୩.୨୮ କୋଟି ବ୍ୟୟବରାଦ ହୋଇଛି। ପ୍ରଥମ ପର୍ଯ୍ୟାୟ-୧ ଜଙ୍ଗଲ ଅନୁମତି ମଞ୍ଜୁରୀ ଏପର୍ଯ୍ୟନ୍ତ ମିଳିନି। ଜଙ୍ଗଲ ଅନୁମତି ପ୍ରସଙ୍ଗରେ ରେଳ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।