ସମ୍ପାଦକଙ୍କ ଘରେ ପିସିଏସ କାର୍ଯ୍ୟାଳୟ ଓ ସ୍କୁଲ ଘରେ ପିଡ଼ିଏସ ଚାଉଳ ଗୋଦାମକୁ ନେଇ ଅଭିଯୋଗ

କେନ୍ଦ୍ରାପଡା,୨୩/୬ : କେନ୍ଦ୍ରାପଡା ଜିଲ୍ଲା ୯ ଗୋଟି ବ୍ଲକ ଅଧିନସ୍ଥ ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି ( ପିସିଏସ ) ଗୁଡିକର ଦୁର୍ନୀତି ଦିନକୁ ଦିନ ପଦାକୁ ଆସିବାରେ ଲାଗିଛି l କେଉଁଠି ଋଣ ପ୍ରଦାନରେ ଅନିୟମିତତା ତ ଆଉ କେଉଁଠି ଧାନ କିଣା ରେ ଦୁର୍ନୀତିର ଅଡୁଆସୁତା ଗୋଟିକ ପରେ ଗୋଟିଏ ଖୋଲିବାରେ ଲାଗିଛି l ଏହିଭଳି ଭାବେ ରାଜନଗର ବ୍ଲକ ବ୍ରାହ୍ମଣ ସାହି ଗ୍ରାମପଞ୍ଚାୟତର ବଡନାଉକୋଣା ପିସିଏସର ସମ୍ପାଦକ କ୍ଷେତ୍ରବାସୀ ରାଉତ ନିଜ ଅଂଚଳରେ ଦୀର୍ଘ ୩୦ ବର୍ଷ ଧରି ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି l ଆଉ ନିଜ ବାସଗୃହରେ ଅଫିସ ଚଳାଇ ଆସୁଥିବା ବେଳେ ଘରଭଡା ସୂତ୍ରେ ରାଜକୋଷରୁ ଅର୍ଥ ଲୁଟୁଛନ୍ତି l ଦୀର୍ଘଦିନ ଧରି ସମ୍ପାଦକ ଦାୟିତ୍ୱରେ ଥିବାରୁ ଋଣ, ଧାନ ମଣ୍ଡି, ସାର ଓ ବିହନ ଆଦି କ୍ରୟ ବିକ୍ରୟ ଘଟଣାରେ ବେଶ ଦିପଇସା କମlଉଛନ୍ତି l ଆଉ ସମ୍ପୃକ୍ତ ସମିତି ଦ୍ୱାରା ପରିଚାଳିତ ପିଡ଼ିଏସ ଆବଣ୍ଟନ କେନ୍ଦ୍ରରେ ନିଜର ପୁଅକୁ ନିଯୁକ୍ତ କରି ମଜୁରୀ ବାବଦ ମାସିକିଆ ପ୍ରାପ୍ୟ ନେଉଛନ୍ତି l

 

 

ଅନ୍ୟ ପକ୍ଷରେ ଗ୍ରାମସ୍ଥ ନାଉକୋଣା ନଗର ନୋଡାଲ ଉପ୍ରାବିଦ୍ୟାଳୟରେ ମହାମାରୀ ସଂକ୍ରମଣ ପରଠୁ ବର୍ଷାଧିକ ହେବ ପିଡ଼ିଏସ ଚାଉଳ ଗଛିତ ରଖିବା ସହିତ ଆବଣ୍ଟନ କରୁଛନ୍ତି l ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟତୀତ କୌଣସି ଉଦ୍ଦେଶ୍ୟରେ ବ୍ୟବହୃତ ନହେବା ପାଇଁ ବିଭାଗୀୟ କଡା ନିର୍ଦ୍ଧେଶ ରହିଛି l ଏପରିକି ବିଦ୍ୟାଳୟରେ ଟ୍ୟୁସନ ପାଇଁ ମନା ଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଢୁଆଳରେ ସ୍କୁଲ ଘରେ ପିଡ଼ିଏସ ଚାଉଳ ରଖି ପ୍ରଧାନ ଶିକ୍ଷକ ସମ୍ପାଦକ ଶ୍ରୀ ରାଉତଙ୍କୁ ଦୁର୍ନୀତିରେ ସହାୟକ ସାଜିଛନ୍ତି l ଏ ବିଷୟରେ ପ୍ରଧାନ ଶିକ୍ଷକ ବିଚିତ୍ର ନାୟକ କହନ୍ତି କରୋନାରେ ବନ୍ଦ ଥିବାରୁ ଅସୁବିଧା ଦର୍ଶାଇ ମାସେ ହେବ ଚାଉଳ ରହୁଥିବା କଥା କୁହନ୍ତି l ସେପଟେ ବ୍ଲକ ଶିକ୍ଷାଧିକାରୀ ଅନିଲ ବଳଙ୍କୁ ପ୍ରଧାନ ଶିକ୍ଷକ ସ୍କୁଲ ଗୃହ ଅପବ୍ୟବହାର ବିଷୟରେ ପଚାରିବାରୁ ଏବିଷୟରେ ବିଇଓଙ୍କ ପାଖରେ ଖବର ନଥିବାର ଗଣମାଧ୍ୟମକୁ କହିଛନ୍ତି l ଦେଖିବାକୁ ବାକି ରହିଲା ଦୁର୍ନୀତି ଗ୍ରସ୍ତ ସମ୍ପାଦକ ଓ ସ୍କୁଲ ଗୃହ ଅପବ୍ୟବହାର କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ l