କାମାକ୍ଷ୍ୟାନଗର,୨୩ /୬ : ଜମି ବାଡ଼ି ବିବାଦକୁ ନେଇ କେନ୍ଦୁଢିପ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି l କାମାକ୍ଷ୍ୟାନଗର ଥାନା କେନ୍ଦୁଢିପ ଗ୍ରାମର ସର୍ବସାଧାରଣ ଜାଗାକୁ ସେହି ଗ୍ରାମର ଦୁଇ ପରିବାର ୨୦୧୯ ମସିହାଠାରୁ ଜବର ଦଖଲ କରିଆସୁଛନ୍ତି l ଏହାକୁ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଓ ସେହି ଦୁଇ ପରିବାରଙ୍କ ମଧ୍ୟରେ ସମାଧାନ ପାଇଁ ଚେଷ୍ଟା କରାଯାଇ ମଧ୍ୟ ବିଫଳ ହୋଇଛି l ଦୁଇ ପରିବାର ଦ୍ୱାରା ଜବର ଦଖଲ ହୋଇଥିବା ସ୍ଥାନରେ ବେଆଇନି ଭାବେ ନିର୍ମାଣ ହୋଇଥିବା କାର୍ଯ୍ୟକୁ ଗତ କିଛି ତଳେ ଗ୍ରାମବାସୀମାନେ ଭାଙ୍ଗି ଦେଇଥିଲେ l ଫଳରେ ବେଆଇନି ନିର୍ମାଣ କରିଥିବା ପରିବାରର ଜଣେ ଯୁବକ ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ l ଯାହାକୁ ନେଇ କେନ୍ଦୁଢିପ ଗ୍ରାମବାସୀ କାମାକ୍ଷ୍ୟାନଗର ଥାନାରେ ଉକ୍ତ ଯୁବକ ଓ ପରିବାର ନାମରେ ଏତଲା ଦାୟର କରିଛନ୍ତି l ତୁରନ୍ତ ଏହି ଜବରଦଖଲକାରୀଙ୍କୁ ଗିରଫ କରିବାକୁ ଗ୍ରାମବାସୀ ଅଡି ବସିଛନ୍ତି l
