କେନ୍ଦ୍ରାପଡା ଜିଲ୍ଲାରେ ପୁନରାବୃତ୍ତି ହେଲା ୟୁରିଆ ସାରର ଅଭାବୀ

କେନ୍ଦ୍ରାପଡା,୩/୮: କୃଷି ପ୍ରଧାନ ରାଜ୍ୟ ଓଡିଶାରେ କୃଷି ଓ କୃଷକର ଉନ୍ନତି ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜସ୍ବ ଖୋର ରାଜ୍ୟ ସରକାର ବାସ୍ତବରେ କୃଷକକୁ ସହଯୋଗର ହାତ ବଢା଼ଉ ନଥିବାର ଚିତ୍ର କେନ୍ଦ୍ରାପଡାରେ ଦୃଶ୍ୟମାନ ହେଉଛି l ଶିଳ୍ପ ବିହିନ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଆସୁଛନ୍ତି l କିନ୍ତୁ ଦୁଃଖର କଥା ଜିଲ୍ଲାରେ ପୂର୍ବ ବର୍ଷ ଭଳି ଚଳିତବର୍ଷ ଖରିଫ ଋତୁ ପ୍ରାରମ୍ଭରେ ୟୁରିଆ ସାର ନେଇ ସମସ୍ୟା ସୃଷ୍ଟି ହୋଇଛି l ଚାଷୀ କୂଳ ୟୁରିଆ ସାର ନେଇ ଆଶଙ୍କାରେ ରହିଛନ୍ତି l ଚଳିତ ବର୍ଷ ୯ ଗୋଟି ବ୍ଲକ ଚାଷୀଙ୍କ ନିମନ୍ତେ ୩୦,୦୦୦ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକ ରହିଛି l

କିନ୍ତୁ ମେ ଓ ଜୁନ ଦୁଇ ମାସ ଧରି ଜିଲ୍ଲାକୁ ଗୋଟିଏ ହେଲେ ୟୁରିଆ ସାର ଯୋଗାଣ ହୋଇନଥିଲା l ମାତ୍ର ଜୁଲାଇ ମାସରେ ୨୦ ରୁ ୨୦୦ ମେଟ୍ରିକ ଟନ ସାର ମିଳିଥିବାର ଜଣାପଡିଛି l ଏହି ସୀମିତ ପରିମାଣର ସାର ଜିଲ୍ଲା ଚାଷୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ଅଭାବୀ ବିକ୍ରି ଗ୍ରାହକଙ୍କୁ ହୀନସ୍ତା କରୁଛି l ଏହି ସୁଯୋଗରେ ଅନୁମୋଦିତ ସାର ବେପାରୀ ଓ କୃଷକ ସେବା ସମବାୟ ସମିତି ଗୁଡିକ ମନ ମାନୀରେ ୟୁରିଆ ବିକ୍ରି କରୁଛନ୍ତି l ୟୁରିଆ ପ୍ୟାକେଟ ପ୍ରତି ମୂଲ୍ୟ ୩୦୦/- ଟଙ୍କା ଥିବା ବେଳେ ଚାଷୀ ବେପାରୀ ଙ୍କ ଠାରୁ କଳାରେ ଦୁଇ ଗୁଣା ଚଢା ଦରରେ ସାର କିଣୁଛନ୍ତି l ଆଉ ସମିତି ସମ୍ପାଦକଙ୍କ ଠାରୁ ଚାଷୀ ୩୦୦/-ଟଙ୍କାର ୟୁରିଆ ସହିତ ବାଧ୍ୟ ହୋଇ ୧୫୦୦/- ଟଙ୍କା ଦେଇ ଗୋଟିଏ ଡ଼ିଏପି ସାର ପ୍ୟାକେଟ କିଣୁଛନ୍ତି l ଆହୁରି ମଧ୍ୟ କିଛି ସାର ବେପାରି କଠିନ ସାର ବଦଳରେ ତରଳ ୟୁରିଆ ଚାଷୀଙ୍କୁ ଯୋଗାଇ ଦେଇ ଖର୍ଚ୍ଚାନ୍ତ ବାଟ ଦେଖାଇ ଥିବାର ଜଣାପଡିଛି l

ପୂର୍ବ ବର୍ଷ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଙ୍ଘ କେନ୍ଦ୍ରାପଡା, ଶାଖା ତରଫରୁ ହୋ ହାଲ୍ଲା ପରେ ୟୁରିଆ ସାରର କଳା ବ୍ୟବସାୟରେ ରୋକ ଲାଗିଥିଲା l ଚଳିତ ବର୍ଷ ବି ଜୁଲାଇ ମାସ ଶେଷlର୍ଦ୍ଧରୁ ଚାଷୀ ମୁଲିଆ ସଙ୍ଘ ଚେଇଁ ଉଠିଛନ୍ତି l ଅନ୍ୟାନ୍ୟ ସାର ସହିତ ଆନୁପାତିକ ଭାବେ ୟୁରିଆ ଯୋଗାଇ ଦିଆଯାଉଥିବା ବେଳେ କେନ୍ଦ୍ରାପଡା ଚାଷୀଙ୍କର ୟୁରିଆ ଉପରେ ବିଶେଷ ଚାହିଦା ରହୁଥିବା କଥା ବ୍ୟବସାୟୀମାନେ କୁହନ୍ତି l ଜିଲ୍ଲା କୃଷି ଅଧିକାରୀ ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଯୁଦ୍ଧ କାଳୀନ ଭିତ୍ତିରେ ୟୁରିଆ ସାର ଯୋଗାଇ ନ ଦେଲେ ଚାଷୀ ମୁଲିଆ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜଣାପଡିଛି l