ବଡ଼ଧରଣର କ୍ରିପ୍ଟୋ ପଞ୍ଜି ଠକେଇ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର,୨୦/୮ : (ପ୍ରଦୀପ୍ତ କୁମାର ଦାସ) – ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା ତଥା ଈଓଡବ୍ଲ୍ୟୁ ଦ୍ୱାରା ଜଗତସିଂହପୁର ଗୋପାଳପୁରରୁ ଏକ ବଡ଼ ଧରଣର କ୍ରିପଟୋ ପଞ୍ଜି ଠକେଇ ମାମଲାର ଆଉ ଜଣେ ସହ ଅଭିଯୁକ୍ତ ଚିତ୍ତ ରଞ୍ଜନ ମହାନ୍ତିଙ୍କୁ ଗୁରୁବାର ଗିରଫ କରାଯାଇଛି। ଈଓଡବ୍ଲ୍ୟୁ ଥାନା କେସ୍ ନଂ ୨୫ ମୁତାବକ (ତା ୧୬.୧୦.୨୦୨୩),ଦଫା ୪୨୦/୪୬୭/୪୬୮/୪୭୧/୧୨୦ (ବି)ଆଇପିସି ସହିତ ପିସିଏମସି (ବ୍ୟାନିଂ) ଆକ୍ଟ,୧୯୭୮ର ସେକ୍ସନ ୪, ୫,୬ ଓପିଆଇଡି ଆକ୍ଟ,୨୦୧୧ର ସେକ୍ସନ ୬/ ଆଇଟି ଆକ୍ଟ,୨୦୦୦ର ସେକ୍ସନ ୬୬(ସି) ଅଧୀନରେ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କଟକସ୍ଥିତ ନିର୍ଦ୍ଦିଷ୍ଟ ଓପିଆଇଡି ଅଦାଲତରେ ହାଜର କରାଯାଇଛି।

ଗତ ୨୦୨୩ ରେ ପୁରୀ ଦୈତାପଡ଼ା ସାହି,ମାର୍କେଟ ଛକର ସ୍ୱାଗତ କୁମାର ନାୟକଙ୍କ ଅଭିଯୋଗ ଆଧାରରେ ଏହି ଠକେଇ ମାମଲା ରୁଜୁ ହୋଇଥିଲା।ସେ ଅଭିଯୋଗ କରିଥିଲେ ଯେ ‘ୟେସ୍ ୱାର୍ଲ୍ଡ’ ର ସନ୍ଦୀପ ଚୌଧୁରୀ,ବସନ୍ତ କୁମାର ଓ ମନୋଜ କୁମାର ପଟ୍ଟନାୟକ ଏବଂ ଅନ୍ୟମାନେ ତାଙ୍କଠାରୁ ପ୍ରାୟ ୮୫,୦୦୦ ଟଙ୍କା ଠକେଇ କରିଛନ୍ତି।ତେବେ ​ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଶଙ୍କର ସରକାର ଏବଂ ଚିତ୍ତରଞ୍ଜନ ମହାନ୍ତି ସେମାନଙ୍କ ସହଯୋଗୀମାନଙ୍କ ସହ ମିଶି “ୟେସ୍ ୱାର୍ଲ୍ଡ”ନାମରେ ଏକ ୱେବ୍ ପ୍ଲାଟଫର୍ମ ଚଲାଉଥିଲେ।ସେମାନେ ମିଳିତ ଭାବେ ୟେସ୍ ୱାର୍ଲ୍ଡ”ର ଆଢୁଆଳରେ କ୍ରିପ୍ଟୋ ଆକାଉଣ୍ଟରେ ନିବେଶ ବାହାନାରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଆତ୍କୃଷ୍ଟ କରିବା ସହ ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲେ।ଅଭିଯୁକ୍ତମାନେ ବହୁତ କମ୍ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଠକିବା ସହ ସେମାନଙ୍କ ତଳେ ଅଧିକରୁ ଅଧିକ ଲୋକଙ୍କୁ(ଯାହାକୁ ଡାଉନଲାଇନ୍ ମେମ୍ବର କୁହାଯାଏ)ଯୋଡ଼ି ପିରାମିଡ୍ ପୋଞ୍ଜି ସ୍କିମ୍ ଆକାରରେ ବେଆଇନ ଅର୍ଥ କାରବାରର ସ୍କିମ୍ ଚଲାଉଥିଲେ।

କେବଳ ଓଡ଼ିଶାରେ ଏହିଭଳି ପ୍ରାୟ ୮୦୦୦ରୁ ଅଧିକ ସଦସ୍ୟ/ନିବେଶକ ଏହି ସ୍କିମରେ ଟଙ୍କା ନିବେଶ କରିଥିବା କୁହାଯାଉଛି।ଓଡ଼ିଶାରେ ଏହା ମୁଖ୍ୟତଃ ଭୁବନେଶ୍ୱର,ଖୋର୍ଦ୍ଧା,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର,କେନ୍ଦୁଝର ଏବଂ ନୟାଗଡ଼ରେ ବ୍ୟାପିଥିଲା।ଏହି ସ୍କିମ୍/ଠକେଇର ସାରା ଭାରତରେ(ପାନ ଇଣ୍ଡିଆ) ପ୍ରାୟ ୨.୫ ଲକ୍ଷ ସଦସ୍ୟ ରହିଛନ୍ତି। ଯେଉଁମାନେ ମୁଖ୍ୟତଃ ପଞ୍ଜାବ,ରାଜସ୍ଥାନ, ଓଡ଼ିଶା,ପଶ୍ଚିମବଙ୍ଗ,ହରିୟାଣା,ଗୁଜରାଟ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ଅଟନ୍ତି।ୟେସ୍ ୱାର୍ଲ୍ଡରେ ମୋଟ ଜଡ଼ିତ ଅର୍ଥ ସାରା ଭାରତରେ ୨୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

​ସେମାନେ ପ୍ରଚାର ପ୍ରସାର କରିବା ଏବଂ ନୂଆ ସଦସ୍ୟ ଯୋଡ଼ିବା ପାଇଁ ଭୌତିକ ଫିଜିକାଲ କିମ୍ବା ଆଭାସୀ ମାଧ୍ୟମରେ ସଭା ଓ ସେମିନାର ଇତ୍ୟାଦି ଆୟୋଜନ କରି ଲୋକଙ୍କୁ ଏହି ଠକେଇ ଜାଲରେ ଫସାଉଥିଲେ।ଅଭିଯୁକ୍ତମାନେ ମନଗଢ଼ା ଲାଭ ଏବଂ ନେଟୱାର୍କର ବୃଦ୍ଧି ଦେଖାଇବା ପାଇଁ ୱେବସାଇଟ୍,ମୋବାଇଲ୍ ଆପ୍ଲିକେସନ୍ ଏବଂ ହ୍ୱାଟସଆପ୍ ଗ୍ରୁପ୍ ବ୍ୟବହାର କରୁଥିଲେ।ଗିରଫ ଅଭିଯୁକ୍ତ ଚିତ୍ତରଞ୍ଜନ ୟେସ୍ ୱାର୍ଲ୍ଡ ର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ।ସେ ‘ୟେସ୍ ୱାର୍ଲ୍ଡ’ର ମୁଖ୍ୟ ଏବଂ ଅନ୍ୟମାନଙ୍କ ସହ ଷଡ଼ଯନ୍ତ୍ର କରି ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରି ନିବେଶକମାନଙ୍କୁ ପ୍ରଲୋଭିତ କରିବା ସହ ଏହି ସ୍କିମର ପ୍ରଚାର ପ୍ରସାର କରୁଥିଲେ।ସେ ସରଳ ନିବେଶକମାନଙ୍କଠାରୁ ବ୍ୟାଙ୍କ ଆକାଉଣ୍ଟ ଏବଂ ନଗଦ ମାଧ୍ୟମରେ କୋଟି କୋଟି ଟଙ୍କାର ସାଧାରଣ ଜମା ସଂଗ୍ରହ କରିଥିଲେ।ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ନିବେଶକଙ୍କ ଆକାଉଣ୍ଟରୁ ସିଧାସଳଖ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କ ଦୁଇଟି ବ୍ୟକ୍ତିଗତ ଆକାଉଣ୍ଟକୁ ମୋଟ ୧୯.୩୨ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି।

​ପୂର୍ବରୁ ସନ୍ଦୀପ ଚୌଧୁରୀ ଏବଂ ଶଙ୍କର ସରକାର ନାମକ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।ତଦନ୍ତ ସମୟରେ ଅଭିଯୁକ୍ତ ଚିତ୍ତ ରଞ୍ଜନ ମହାନ୍ତିଙ୍କ ଦୁଇଟି ମୋବାଇଲ ହ୍ୟାଣ୍ଡସେଟ୍ ମଧ୍ୟ ଜବତ କରାଯାଇଛି।ତେବେ ଇଓଡବ୍ଲ୍ୟୁର ତଦନ୍ତକାରୀ ଟିମ ଏହି ଠକେଇ ମାମଲାର ଅଧିକ ତଦନ୍ତ ଜାରି ରଖିଥିବା ଈଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ।