ଓଡ଼ିଶାରେ ବଢ଼ିଲା ଶହେ ଏମ୍‌ବିବିଏସ୍‌ ସିଟ୍‌ : ଭିମ୍‌ସାର ଓ ଡ୍ରିମ୍‌ସର ୫୦ ଲେଖାଏ ସିଟ୍‌ ବୃଦ୍ଧି

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଦୁଇଟି ମେଡ଼ିକାଲ କଲେଜରେ ୫୦ ଲେଖାଏ ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି ହୋଇଛି। ସରକାରୀ ମେଡିକାଲ କଲେଜ ଭାବେ ବୁର୍ଲା ଭିମ୍‌ସାରେ ୫୦ଟି ଓ ଘରୋଇ ମେଡିକାଲ କଲେଜ ଡ୍ରିମ୍‌ସରେ ୫୦ଟି ସିଟ୍‌ ବଢ଼ିଛି। ଏହି ବର୍ଦ୍ଧିତ ସିଟ୍‌ ଦ୍ବାରା ଓଡ଼ିଶାର ୧୪ଟି ସରକାରୀ ମେଡିକାଲ କଲେଜର ୧୮୫୦ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହେବ। ସେଥିମଧ୍ୟରୁ ୧୫% ସିଟ୍‌ ସର୍ବଭାରତୀୟ କୋଟାରେ ନାମଲେଖା ହେବାକୁ ଥିବା ବେଳେ ବାକି ୮୫% ସିଟ୍‌ ଅର୍ଥାତ୍‌ ୧୫୭୨ ସିଟ୍‌ରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଅନୁରୂପ ଭାବେ ପୂର୍ବ ବର୍ଷ ତୁଳନାରେ ଘରୋଇ ମେଡିକାଲ କଲେଜରେ ୫୦ଟି ସିଟ୍‌ ବୃଦ୍ଧି ପାଇ ୪୦୦ରେ ପହଞ୍ଚିଛି। ମୋଟ ଉପରେ ଦେଖିଲେ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୧୭ଟି ମେଡିକାଲ କଲେଜର ୨୨୫୦ ‌ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହେବାକୁ ଯାଉଛି।

ସର୍ବଭାରତୀୟ କୋଟା ସିଟ୍‌ ବ୍ୟତୀତ ଅନ୍ୟାନ୍ୟ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଓଜେଇଇ କାଉନସେଲିଂ କରୁଛି। ଓଜେଇଇ ପକ୍ଷରୁ ଘରୋଇ ଓ ସରକାରୀ ମେଡିକାଲ କଲେଜ ମିଶାଇ ଏଥରକ ୧୯୭୨ ଏମ୍‌ବିବିଏସ୍‌ ସିଟ୍‌ ପାଇଁ କାଉନସେଲିଂ ହେବ। କଟକସ୍ଥିତ ଏସ୍‌ସିବି ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ୨୧୨ଟି ଲେଖାଏ ସିଟ୍ ଲାଗି ଓଜେଇଇ କାଉନସେଲିଂ କରୁଥିବା ବେଳେ ବୁର୍ଲା ଭିମ୍‌ସାର ୨୧୩, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ୧୦୬ ଲେଖାଏ, ବଲାଙ୍ଗୀର, ବାଲେଶ୍ୱର, ତାଳଚେର, ଫୁଲବାଣୀ, ପୁରୀ, ସୁନ୍ଦରଗଡ଼, ଭବାନୀପାଟଣା ଓ କେନ୍ଦୁଝର ମେଡିକାଲ କଲେଜର ୮୫ଟି ଲେଖାଏ ସିଟ୍ ପାଇଁ ଓଜେଇଇ କାଉନ୍‌ସେଲିଂ କରୁଛି।

ଯାଜପୁର ମେଡିକାଲ କଲେଜର ଆଉ ୫୦ଟି ସିଟ୍‌ ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ମେଡିକାଲ କମିସନଙ୍କ ନିକଟରେ ଆବେଦନ କରାଯାଇଥିଲେ ମଧ୍ୟ ତାହାକୁ ଅନୁମତି ଦିଆଯାଇ ନାହିଁ। ତେଣୁ ପୂର୍ବବର୍ଷ ଭଳି ଏଥର ମଧ୍ୟ ଯାଜପୁର ମେଡିକାଲ କଲେଜର ୫୦ ସିଟ୍‌ରେ ନାମଲେଖା ହେବ। ସେଥିରୁ ୪୩ଟି ସିଟ୍‌ ପାଇଁ ଓଜେଇଇ କାଉନସେଲିଂ କରିବ। ଏହାବ୍ୟତୀତ ହାଇଟେକ୍ ଭୁବନେଶ୍ୱର ଓ କଟକସ୍ଥିତ ଡ୍ରିମ୍‌ସର ୧୫୦ ଲେଖାଏ ଏବଂ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ୧୦୦ ସିଟ୍‌ ପାଇଁ ଓଜେଇଇ କାଉନସେଲିଂ ଦ୍ବାରା ପୂରଣ ହେବ। ସେହିପରି କଟକ ଏସ୍‌ସିବିର ୫୪ ଓ ହାଇଟେକ୍ ଭୁବନେଶ୍ବରର ଶହେ ବିଡିଏସ୍ ସିଟ୍ ଲାଗି ମଧ୍ୟ ଓଜେଇଇ ମାଧ୍ୟମରେ ନାମଲେଖା ହେଉଛି।

ଇତିମଧ୍ୟରେ ଓଜେଇଇ ପକ୍ଷରୁ ପ୍ରକାଶିତ ରାଜ୍ୟସ୍ତରୀୟ ରୢାଙ୍କରେ ୬,୨୧୭ ନିଟ୍‌ ରୢାଙ୍କଧାରୀ ବିଦ୍ୟାର୍ଥୀ ସ୍ଥାନ ପାଇଛନ୍ତି। ଅଗଷ୍ଟ ୨୨ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ କରିପାରିବେ। ୨୨ ତାରିଖ ପୂର୍ବାହ୍ନ ୧୧ଟା ୩୦ରୁ ଚଏସ୍‌ ଲକିଂ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୨୪ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ହେବ। ୨୫ ତାରିଖ ଅପରାହ୍ଣ ୨ଟାରେ ଅଭିଯୋଗ ଶୁଣାଯିବ ଏବଂ ୨୬ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ରାଉଣ୍ଡ୍‌ ଆଲଟ୍‌ମେଣ୍ଟ ସହ ପ୍ରାର୍ଥୀମାନେ ଆଲଟ୍‌ମେଣ୍ଟ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୬ ମଧ୍ୟରେ ଛାତ୍ରଛାତ୍ରୀ ଓରିଜିନାଲ ଡକ୍ୟୁମେଣ୍ଟ ସହ ନାମଲେଖା ଫି’ ଦାଖଲ କରି ଓଜେଇଇ ସେଲ୍‌ରେ ପ୍ରୋଭିଜନାଲ ନାମ ଲେଖାଇପାରିବେ ବୋଲି ଓଜେଇଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।