ଭୁବନେଶ୍ୱର: ଇଂରାଜୀ ନୂତନବର୍ଷ-୨୦୨୩ ରବିବାର ଛୁଟି ଦିନରେ ପଡୁଥିଲେ ହେଁ ଲୋକସେବା ଭବନ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳକୁ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ଲାଗି କର୍ମଚାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ବ୍ୟାଙ୍କ ଓ କର୍ପୋରେଟ୍ କର୍ମଚାରୀଙ୍କ ହାତରେ ଫୁଲତୋଡା ସାଙ୍ଗକୁ ନୂତନବର୍ଷର ଡାଏରୀ-କ୍ୟାଲେଣ୍ଡର ରହିଥିଲା।
ଜାନୁଆରୀ ୨୦୨୩ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ । ନୂଆ ବର୍ଷରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଏହାର ମଜା ଉଠାଇଛନ୍ତି । ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି ।
