ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୨ ଦିନ ବର୍ଷା

ଭୁବନେଶ୍ବର,୨୯/୯ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ଭିଏତନାମରେ ଧ୍ବଂସଲୀଳା ରଚାଇଥିବା ବାତ୍ୟା ଡିଆମୁ ଏବେ ଦୁର୍ବଳ ହୋଇ ବଙ୍ଗୋପସାଗର ପ୍ରବେଶ କରିଛି ଓ ଏକ ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପ ହିଁ ଓଡ଼ିଶା ମୁହାଁ ହୋଇଛି । ଗୁଲାବ ବାତ୍ୟା ପରି ଏକ ଶକ୍ତିଶାଳୀ ନହେଲେ ବି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ୍ କହିଛି ।