ଟୋରଣ୍ଟୋ : କାନାଡା ବର୍ଣ୍ଣବାଇର ଏକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ଭାଙ୍କୋଭରସ୍ଥିତ ମହାବାଣିଜ୍ୟ ଦୂତାବାସ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ପ୍ରତିମାଟି ସାଇମନ ଫ୍ରେଜର ୟୁନିଭର୍ସିଟି ବନାର୍ବି ପରିସରର ପିସ୍ ସ୍କୋୟାରରେ ରଖା ଯାଇଥିଲା। ଏ ନେଇ ମହାବାଣିଜ୍ୟ ଦୂତାବାସ ଟ୍ୱିଟ୍ କରି ମହାତ୍ମା ଗାନ୍ଧିଙ୍କ ପ୍ରତିମା ଭଙ୍ଗାରୁଜା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ମାମଲାର ତୁରନ୍ତ ତଦନ୍ତ ଦାବି କରିବା ସହ ଘଟଣାରେ ଜଡିତ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦୂତାବାସ ଦାବି କରିଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୨୩ ତାରିଖ ଦିନ କାନାଡା ଅଣ୍ଟାରିଓ ପ୍ରାନ୍ତ ହେମିଲ୍ଟନ ସହରର ସିଟି ହଲ ନିକଟରେ ଥିବା ଏକ ମହାତ୍ମାଗାନ୍ଧିଙ୍କ ମୂର୍ତ୍ତିକୁ ଖାଲିସ୍ତାନୀ ସମର୍ଥକ ସ୍ପ୍ରେପେଣ୍ଟ କରି ବିରୂପ କରିଥିଲେ। ଏହି ଘଟଣା ପରେ ବର୍ଣ୍ଣବାଇରେ ଘଟିଥିବା ଘଟଣାକୁ ଦୂତାବାସ ବାସ୍ତବିକ ଚିନ୍ତାଜନକ ବୋଲି କହିଛନ୍ତି। ଗତବର୍ଷ ଜୁଲାଇ ମାସରେ କାନାଡା ରିଚମଣ୍ଡ ହିଲରେ ଥିବା ବିଷ୍ଣୁ ମନ୍ଦିର ନିକଟରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିଲା। ସେତେବେଳେ ଘଟଣାକୁ ଟରୋଣ୍ଟରେ ଥିବା ମହାବାଣିଜ୍ୟ ଦୂତାବାସ ଦୃଢ ନିନ୍ଦା କରିଥିଲେ।
