ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨୫/୦୮ : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗ, ସରକାରୀ ବିଲ୍, ପ୍ରଶ୍ନକାଳ ଓ ଆଲୋଚନା ଗୁରୁତ୍ୱ ପାଇବାର ସମ୍ଭାବନା ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବିତ ବୈଠକ କ୍ୟାଲେଣ୍ଡର ପଠାଯାଇଛି। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୋଟିଏ ଛୁଟି ଏବଂ ଦୁଇଟି ‘ନୋ ମିଟିଂ’ ଦିନ ରହିଛି। ଅଗଷ୍ଟ ୨୪ରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବଙ୍କୁ ଏହି ପ୍ରସ୍ତାବିତ କ୍ୟାଲେଣ୍ଡର ପଠାଇଛନ୍ତି। ସରକାର ଏହି ତାରିଖକୁ ସମ୍ମତି ଦେଲେ, ଅଧିବେଶନ ଆହ୍ୱାନ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ନିଆଯିବ। ମୌସୁମୀ ଅଧିବେଶନରେ ବିଭିନ୍ନ ବିଭାଗର ବିଲ୍, ବଜେଟ ସମ୍ବନ୍ଧୀୟ ଆଲୋଚନା ଓ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି।