ମହାକାଳପଡ଼ା,୭/୧୧- (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛେଲା ପଂଚାୟତ କେନ୍ତିଆ ଗାଁର ଖୁଲଣା ପ୍ରଧାନ ବୟସ ୬୦ ଅକ୍ଟୋବର ୨୫ ତାରିଖ ଦିନ କୋଭିଡ ପରୀକ୍ଷl ପରେ ପଜେଟିଭ ଜଣା ଯିବାରୁ ତାଙ୍କୁ ଛତା କୋଭିଡ ହସ୍ପିଟାଲକୁ ପଠାଯାଇଥିଲା । ୧୦ ଦିନର ଚିକିତ୍ସା ପରେ ତାଙ୍କୁ ଘରୋଇ଼ ସଙ୍ଘରୋଧ ପାଇଁ ଗାଁକୁ ପଠାଇ ଦିଆଯାଇଥିଲା । କିନ୍ତୁ ଦୁଃଖର କଥା ଖୁଲଣାଙ୍କ ଘର ଲୋକେ ତାଙ୍କୁ ବାରଣ କରି ଘରେ ପୁରାଇ ନଦେବାରୁ ନିରୁପାୟ ହୋଇ ବୃଦ୍ଧା ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇ ଥିଲେ। ବୃଦ୍ଧାଙ୍କର ଦୁର୍ଦ୍ଦିନ ସମୟରେ ଗାଁ ର ଆଶା କର୍ମୀ ସୌଦାମିନୀ ପ୍ରଧାନ ବୃଦ୍ଧାଙ୍କୁ ଖାଦ୍ୟ ପେୟ ଯୋଗାଇ ଦେଇଥିବା ବେଳେ ଶୀତ କାକରରେ ପଡ଼ିଥିବା ବୃଦ୍ଧାଙ୍କୁ ଗାଁ ଯୁବକମାନେ ମଶା ଧୂପ ଓ ଅନ୍ୟାନ୍ୟ ସାମଗ୍ରୀରେ ସହଯୋଗ କରିଥିଲେ । ବିଭିନ୍ନ ଗଣ ମାଧ୍ୟମରେ ଏହି ଘଟଣା ପ୍ରକାଶନ ପରେ ପ୍ରଶାସନିକ ଅଧିକାରୀମାନେ କେନ୍ତିଆରେ ପହଂଚି ପରିବାର ଲୋକଙ୍କୁ ବୁଝା ସୁଝା କରିବା ପରେ ବି ଅବୁଝା ପୁଅ, ବୋହୂ, ବୁଢୀକୁ ଘରେ ପୁରାଇ ଦେଇନଥିଲେ । ସର୍ବ ଶେଷରେ ବିଡ଼ିଓ, ତହସିଲଦାର ଓ ପୋଲିସ ଙ୍କ ମିଳିତ ଉଦ୍ୟମରେ ବି ପରିବାର ଲୋକେ ବୁଝି ନଥିଲେ । ଯାହାନେଇ ବ୍ଲକ ପ୍ରଶାସନ ଶୁକ୍ରବାର ଦିନ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ବାୟାବାବା ମହାବିଦ୍ୟାଳୟର କୋଭିଡ ଟିଏମସିରେ ରଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନିକ ଅଧିକାରୀ ମାନଙ୍କ କଥାକୁ ବୁଝି ପାରି ଦୁଇ ପୁଅ ବ୍ଲକ ପ୍ରଶାସନ ନିକଟରେ ପହଂଚି ମା କୁ ଘରକୁ ଫେରାଇ ନେଇଥିବାର ଜଣାପଡିଛି ।