ଭୁବନେଶ୍ୱର,୭ /୧୧ : ‘ମୋ ବସ୍’ର ଦ୍ୱିତୀୟ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ବସ୍ ପାଠଶାଳା’ ପୁସ୍ତକର ଉନ୍ମୋଚନ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ରିଉ ସଦସ୍ୟମାନଙ୍କୁ ତାଲିମ ଦେବା ଓ ଏହାର ଫଳାଫଳକୁ ଡକ୍ୟୁମେଣ୍ଟ କରିଥିବାରୁ କ୍ରୁଟ୍କୁ ପ୍ରଶଂସା କରିଥିଲେ। କ୍ରୁଟ୍ ଟିମ୍କୁ ଅଭିନନ୍ଦନ ଜଣାଇବା ସହ ମହାମାରୀ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ବଜାୟ ରଖି ଲୋକଙ୍କୁ ସେବା ଯୋଗାଇବା ପାଇଁ ଆଶା କରିଛନ୍ତି।

‘ବସ୍ ପାଠଶାଳା’ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ଦ୍ୱାରା ପରିଚାଳିତ ୫ ସପ୍ତାହ ଭର୍ଚୁଆଲ ଟ୍ରେନିଂ (ଦକ୍ଷତା ଏବଂ ବୈଷୟିକ) ଅଧିବେଶନର ଏକ ସଂକଳନ। ଦେଶର ଯେକୌଣସି ପବ୍ଲିକ ଟ୍ରାନ୍ସପୋର୍ଟ କମ୍ପାନି ଦ୍ୱାରା ଏହା ପ୍ରଥମ ପ୍ରକାଶନ ବୋଲି କୁହାଯାଇଛି। ଏହି ପ୍ରକାଶନ ଦେଶର ବିଭିନ୍ନ ସହର ଓ ରାଜ୍ୟ ପରିବହନ ନିଗମ ସହିତ ଅଂଶୀଦାର ହେବ। ଏହି ପଦକ୍ଷେପକୁ ନୂଆଦିଲ୍ଲୀ ଆସୋସିଏସନ୍ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଙ୍ଗ୍ ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଭୟ ଆନ୍ତର୍ଜାତୀୟ ତଥା ଜାତୀୟ ବିଶେଷଜ୍ଞଙ୍କୁ ଆକର୍ଷିତ କରିଥିଲା। ଯେଉଁମାନେ କ୍ରିଉ ପ୍ରେରଣା, ଡ୍ରାଇଭିଂ କୌଶଳ, ଉନ୍ନତ ରକ୍ଷଣାବେକ୍ଷଣ ଅଭ୍ୟାସ, ଯାତ୍ରୀ ଅନୁକୂଳ ଆଭିମୁଖ୍ୟ, ଲିଙ୍ଗଭିତ୍ତିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କହିଥିଲେ। ଉତ୍ତମ ବୁଝାମଣା ପାଇଁ ଅଧିବେଶନ ହିନ୍ଦୀ ଓ ଓଡ଼ିଆ ଭାଷାରେ କରାଯାଇଥିଲା। କ୍ରୁଟ୍ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୨୦୦ରୁ ଅଧିକ କର୍ମଚାରୀ ଭାରତରେ ଏକ ପବ୍ଲିକ୍ ଟ୍ରାନ୍ସପୋର୍ଟ କମ୍ପାନି ଦ୍ୱାରା ଆୟୋଜିତ ଏହାର ପ୍ରଥମ ଭର୍ଚୁଆଲ ଟ୍ରେନିଂ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ବାର୍ଷିକୀ ଅବସରରେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ମୋ ବସ୍ ସେବା ଉପରେ ବିଶ୍ୱାସ ରଖିଥିବାରୁ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।