ପାଲଟିଲା ରଡ଼ ବୋଝେଇ ବୋଟ, ତିନି ଆହତ

ମହାକାଳପଡ଼ା,୨୯ /୪ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବତୀଘର ପଂଚାୟତ ବରକୋଳି (ଦକ୍ଷିଣ) ଖୋଳା ପାଖ ମହାନଦୀ ମୁହାଣର ଉତ୍ତାଳ ତରଙ୍ଗରେ ରଡ଼ ବୋଝେଇ ବୋଟଟି ପାଲଟିପଡିଛି l ବୁଧବାର ଦିନ ପ୍ରଶାନ୍ତ ମଣ୍ଡଳଙ୍କ ବୋଟରେ ଚାଳକ ସମେତ ୯ ଜଣ ଶ୍ରମିକ ଭୁତମୁଣ୍ଡାଇରୁ ନିପାଣିଆ ପୋଲ ପାଇଁ ରଡ଼ ଧରି ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଛି l ପୋଲ ଅଭିମୁଖେ ଯିବା ବାଟରେ ଖୋଳା ପଟ ମହାନଦୀ କୂଳରୁ ପ୍ରାୟତଃ ୨୦ ମିଟର ଦୂରରେ ୨୫ ଟନ ରଡ଼ ବୋଝେଇ ବୋଟଟି ଭାରସାମ୍ୟ ହରାଇ ପାଲଟି ପଡିଥିଲା l ମାତ୍ର ବୋଟରେ ଥିବା ଚାଳକ ନନ୍ଦ ସାମନ୍ତ ସମେତ ଅନ୍ୟ ୫ଜଣ ସହଜରେ ନଦୀରେ ପହଁରି କୂଳକୁ ଆସିବା ବାଟରେ ପାଖରେ ଥିବା ଅନ୍ୟ ବୋଟରେ ଆଶ୍ରୟ ନେଇଥିଲେ l କିନ୍ତୁ ଦୁଃଖର କଥା ବୋଟର କେବିନ ଭିତରେ ବସିଥିବା ମଦନ ସାମନ୍ତ, ହାରାଧନ ଗିରି ଓ ବିବେକ ପ୍ରଧାନ ଆସିବା ମୁସ୍କିଲି ହୋଇପଡ଼ିଥିଲା l ମାତ୍ର ମଦନ ଓ ହାରାଧନ ଅଳ୍ପକେ ବର୍ତ୍ତିଯାଇଥିଲେ l ମାତ୍ର ବିବେକ ଉପରେ କିଛି ରଡ଼ ଲଦି ହୋଇଯିବାରୁ ସେ ହତବାକ ହୋଇ ଆର୍ତ୍ତ ଚିତ୍କାର କରିଥିଲେ l ବୋଟଟି ଚହଲି ଯିବାରୁ ରଡ଼ ଭିତରୁ ବିବେକ ଶେଷ ଚେଷ୍ଟା କରି ଜୀବନ ବଞ୍ଚାଇଥିଲେ l ମୁହାଣରେ ଯାଉଥିବା ଅନ୍ୟ ଏକ ବୋଟ ବୁଡି ଯାଉଥିବା ବୋଟ ଉପରକୁ ନଙ୍ଗର ଫିଙ୍ଗିବାରୁ ଗୋଟିଏ ନଙ୍ଗର ବୁଡି ଥିବା ବୋଟରେ ଲାଗିଥିବାର କଥା କୁହନ୍ତି l ଦୁର୍ଘଟଣାଟି ମଧ୍ୟାହ୍ନରେ ଘଟିଥିଲେ ବି ରାତ୍ରି ସୁଦ୍ଧା ବୋଟ ଉଦ୍ଧାର ହୋଇପାରିନି l ବିବେକର ଗୋଡ ଓ ନାକ ଗୁରୁତର ହେବାରୁ ରାମନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି l.ହାରାଧନର ମୁଣ୍ଡରେ ଆଘାତ ଲାଗିଥିବା ସ୍ଥଳେ ମଦନ କେବଳ ଦୁଇ ତିନି ଝାଳକା ପାଣି ପିଇ ଯାଇ ବର୍ତ୍ତୀ ଯାଇଛନ୍ତି l ମୁହାଣ ଦେଇ ଯାଉଥିବା ଅନ୍ୟ ଏକ ବୋଟର ଲୋକେ ବୁଡ଼ିଯାଉଥିବା ବୋଟ ଉପରକୁ ନଙ୍ଗର ଫିଙ୍ଗି ଅଟକାଇଥିବା କଥା କୁହନ୍ତି l

 

Comments are closed.