ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ମୌସୁମୀ ବର୍ଷା

ଭୁବନେଶ୍ୱର, ୦୧/୦୭ : ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ରାତି ସାରା ବର୍ଷିବା ପରେ ଏବେ ବି ବର୍ଷୁଛି । ଗତକାଲି ଠାରୁ ବର୍ଷା ଲାଗି ରହିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଦୀର୍ଘ ଦିନର ଗୁଳୁଗୁଳି ଓ ଗରମରୁ ଲୋକଙ୍କୁ ତ୍ରାହି ମିଳିଥିବା ବେଳେ, ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଦାନା ବାନ୍ଧୁଛି ଏକ ବଡ଼ ଲଘୁଚାପ । ୩ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ‘ଲଘୁଚାପ’ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୬ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏନେଇ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ସମ୍ଭାବନା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଏହି ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।