ଭୁବନେଶ୍ବର, ୦୭/୧୧ : ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ । ଶେରଗଡ଼ରୁ ଆସିକା ଓ ସୋରଡ଼ା ଯାଏଁ ବୁଲି ଦେଖିବେ ବନ୍ୟାଞ୍ଚଳ । ବନ୍ୟା ପ୍ରଭାବିତ ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବେ । ବାତ୍ୟା ଓ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଗାଁରେ ପାଣି ପଶିବା ସହ ଘରଦ୍ୱାର, ରାସ୍ତାଘାଟ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ଚାଷୀଙ୍କ ଫସଲ ନଷ୍ଟ ହୋଇଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତାକାଲି ସକାଳ ୧୦ଟାରେ ନବୀନ ନିବାସରୁ ବାହାରିବେ ନବୀନ ପଟ୍ଟନାୟକ । ସକାଳ ୧୦ଟା ୧୫ ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । ସକାଳ ୧୧ଟା ୧୦ ମିନିଟ୍ ରେ ଶେରଗଡ଼ ସହରରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ବନ୍ୟା କ୍ଷୟକ୍ଷତି ଏବଂ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ।
ପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ ରେ ହିଞ୍ଜିଳିକାଟୁର ନୂଆ ବୁରୁପଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରିବେ । ସେଠାରେ ବନ୍ୟାରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିବା ସହ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଦିନ ୧ଟା ୩୦ ମିନିଟ୍ ରେ ଆସିକା ସହରରେ ପହଞ୍ଚିବେ ନବୀନ । ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ଶୁଣିବେ । ଏଥିସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ । ଅପରାହ୍ନ ୨ଟା ୪୦ ମିନିଟ୍ ରେ ସୋରଡ଼ାର ବାଲିଗୋଛା ଗସ୍ତ କରିବେ । ସେଠାରେ ବନ୍ୟାରେ ନଷ୍ଟ ହୋଇଥିବା ଫସଲ ଓ ଚାଷଜମି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ ।
ଗଞ୍ଜାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପରେ ଅପରାହ୍ନ ୪ଟା ୧୦ ମିନିଟ୍ ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବିରୋଧୀ ଦଳ ନେତାଙ୍କ ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା, ଚାଷୀଙ୍କ ଫସଲ କ୍ଷୟକ୍ଷତି ଏବଂ ରିଲିଫ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ରହିବ ।