ଭୁବନେଶ୍ୱର,୨୯ା୭ : ଲୋକଙ୍କ ଜୀବନ ହେଉଛି ଆମର ପ୍ରାଥମିକତା। ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ। ଖୁବ୍ ଦୃଢ଼ତାର ସହିତ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ୧୯ ସମ୍ପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ବିରୋଧରେ ଲଢ଼େଇରେ ସମ୍ବଳର ଅଭାବ ରହିବ ନାହିଁ। କୋଭିଡ଼ ଯୋଦ୍ଧାମାନେ ଦରମା ପାଇଁ ନୁହେଁ ଏହି ଲଢ଼େଇକୁ ଏକ ମିଶନ ଭାବେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନ ରାତି ସେବା ଯୋଗାଉଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡ଼ିଶା ପାଇଁ ପ୍ରେରଣା। ତ୍ୟାଗରେ ସେମାନଙ୍କ ଭିତରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ , ମା ରମା ଦେବୀ ଓ ପାର୍ବତି ଗିରି ଭଳି ମହାନ ଦେଶ ସେବକ ରହିଛନ୍ତି। ସେହି ଯୋଦ୍ଧାମାନଙ୍କ ତ୍ୟାଗକୁ ଓଡ଼ିଶା ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ। ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା , କଷ୍ଟସାଧ୍ୟ ଲଢ଼େଇରେ ସେମାନଙ୍କ ମନବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ। ଆଗ ଧାଡ଼ିରେ ରହି ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ଼ ଯୋଦ୍ଧାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇବା ସହିତ ସେମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଯୋଗୁଁ ଆଜି ଆମ ରାଜ୍ୟର ୧୮ହଜାର ଲୋକ କୋଭିଡ଼ରୁ ଆରୋଗ୍ୟ ଲାଭ କରିଛନ୍ତି ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଅନ୍ୟ ରାଜ୍ୟ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ। ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ। ନିଜେ ଏବଂ ନିଜ ପରିବାର ଲୋକେ ସଂକ୍ରମିତ ହେବା ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମର ଯୋଦ୍ଧାମାନେ ଯେପରି ବିରତ୍ୱର ସହ ଗତ ୧୫୦ ଦିନ ହେଲା କାର୍ଯ୍ୟ କରିଚାଲିଛନ୍ତି ତାହାର ପଟାନ୍ତର ନାହିଁ।
ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ଼ ଯୋଦ୍ଧାମାନଙ୍କ ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ସାଢ଼େ ୪କୋଟି ଓଡ଼ିଆଙ୍କୁ କୋଭିଡ଼ ନିର୍ଦେଶାବଳି ଅନୁପାଳନ କରିବା ପାଇଁ ନିବେଦନ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ୱ। ସରକାର କୋଭିଡ଼ ନିୟମାବଳିକୁ କାର୍ଯ୍ୟ କାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ। ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୋଧରେ ଲଢ଼େଇ କରିବା ପ୍ରତ୍ୟେକଙ୍କ ବ୍ୟକ୍ତିଗତ ଦାୟିତ୍ୱ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।