ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍‌ ଘଟଣା,ପଦାର୍ଥ ବିଜ୍ଞାନ ପ୍ରଶ୍ନ ପ୍ରଘଟକାରୀ ଗିରଫ

ନୂଆଦିଲ୍ଲୀ, ୨୩/୦୫ : ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମହାରାଷ୍ଟ୍ରର ପୁଣେରୁ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମନୀଷା ସଞ୍ଜୟ ହାୱାଲଦାର। ସେ ପୁଣେର ସେଥ୍ ହୀରାଲାଲ ସରାଫ ପ୍ରଶାଲାରେ କାର୍ଯ୍ୟ କରୁଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷା ପରିଚାଳନାରେ ସେ ଜଣେ ବିଶେଷଜ୍ଞ ଭାବରେ ନିଯୁକ୍ତ ହୋଇଥିଲେ। ଏହାର ସୁଯୋଗ ନେଇ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ପ୍ରଶ୍ନପତ୍ର ଉପରେ ତାଙ୍କର ସମ୍ପୂର୍ଣ୍ଣ ପ୍ରବେଶ ରହିଥିଲା ଏବଂ ସେ ସେହି ପ୍ରଶ୍ନଗୁଡ଼ିକୁ ଲିକ୍ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ମନୀଷା ହାୱାଲଦାର ଗତ ଏପ୍ରିଲ ମାସରେ ନିଟ୍‌-ୟୁଜିର ଫିଜିକ୍ସ ପ୍ରଶ୍ନପତ୍ରର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅନ୍ୟତମ ସହ-ଅଭିଯୁକ୍ତ ମନୀଷା ମାନ୍ଧାରେ (ଉଦ୍ଭିଦ ବିଜ୍ଞାନ ବା ବୋଟାନି ଅଧ୍ୟାପିକା)ଙ୍କ ସହ ସେୟାର କରିଥିଲେ। ସିବିଆଇ ଜାଣିବାକୁ ପାଇଛି ଯେ, ସେମାନେ ସେୟାର କରିଥିବା ପ୍ରଶ୍ନଗୁଡ଼ିକ ମେ ୩ ତାରିଖରେ ହୋଇଥିବା ମୂଳ ନିଟ୍‌-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ସହ ସମ୍ପୂର୍ଣ୍ଣ ମିଶିଯାଉଛି।