ଯୁକ୍ତ ୨ ପରୀକ୍ଷା ଫଳ ତ୍ରୁଟି, ଛାତ୍ରଙ୍କୁ ମିଳିଛି ୧୦୦ ରୁ ୧୦୨ ମାର୍କ

ଭୁବନେଶ୍ୱର, ୨୩/୦୫ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ତ୍ରୁଟି ଦେଖିବାକୁ ମିଳିଛି। ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ର ଇଂରାଜୀରେ ୧୦୦ ରୁ ୧୦୨ ନମ୍ବର ପାଇଛନ୍ତି। ଥିଓରୀରେ ସେ ୮୨ ନମ୍ବର ପାଇଥିବାବେଳେ ଇଣ୍ଟରନାଲ ପରୀକ୍ଷାରେ ୨୦ ନମ୍ବର ମିଳିଛି। ସାମାଜିକ ଗଣମାଧ୍ୟମରେ ସମ୍ପୃକ୍ତ ଛାତ୍ରଙ୍କ ମାର୍କସିଟ୍‌ ପ୍ରଘଟ ହେବା ପରେ ଏବେ ଚର୍ଚ୍ଚା ବଢ଼ିଛି ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ) ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏ ସଂକ୍ରାନ୍ତରେ ଶୁକ୍ରବାର ବିଦ୍ୟାଳୟ କର୍ତ୍ତୃପକ୍ଷ ସିଏଚ୍ଏ‌ସଇକୁ ଚିଠି ଦ୍ବାରା ଅବଗତ କରାଇଛନ୍ତି। ଏହା ଏକ ବୈଷୟିକ ତ୍ରୁଟି ହୋଇଥାଇପାରେ ଏବଂ ଛାତ୍ରଙ୍କର ଭବିଷ୍ୟତ ଉପରେ ଯେଭଳି କୌଣସି ପ୍ରଭାବ ନ ପଡ଼ିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଚିରଞ୍ଜୀବ ମହାପାତ୍ର ସିଏଚ୍‌ଏସଇ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ତେବେ ସମ୍ପୃକ୍ତ ଛାତ୍ର ୬୦୦ରୁ ୩୬୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।