ଭୁବନେଶ୍ଵର,୨୮/୪ : ଆଲୋଚନା ପରିସରକୁ ଆସିଛି ଓଡ଼ିଆ ସିନେମା । ଏପ୍ରିଲ ୨୮ ଅର୍ଥାତ୍ ଆଜିର ତାରିଖକୁ ”ଓଡ଼ିଆ ଚଳଚିତ୍ର ଦିବସ” ରୂପେ ପାଳନ ନେଇ ପ୍ରସ୍ତାବ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଆଜିର ଦିନକୁ ‘ଓଡ଼ିଆ ସିନେମା ଦିବସ’ ଲେଖି ଏହାକୁ ସମର୍ଥନ ଜଣାଇବା ଲାଗି ନିବେଦନ କରାଯାଇଛି।
ଓଡ଼ିଶା ସରକାର ଆନୁଷ୍ଠାନିକ ଭାବରେ ଏପ୍ରିଲ ୨୮କୁ ଓଡ଼ିଆ ସିନେମା ଦିବସ ରୂପେ ଘୋଷଣା କରନ୍ତୁ ବୋଲି ଦାବି ଉଠିଛି।କାରଣ ଏହିଦିନ ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା। ସେହି ଦିନକୁ ମନେ ପକାଇ ଅନ୍ତତଃ ପକ୍ଷେ ବର୍ଷରେ ଗୋଟିଏ ଦିନ ଓଡ଼ିଆ ସିନେମାକୁ ଉତ୍ସର୍ଗ କରିବା ନେଇ ମତପ୍ରକାଶ ପାଇଛି। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ସାଙ୍ଗକୁ ଓଡ଼ିଆ ସିନେମା ତାର ଶତବାର୍ଷିକ ଉତ୍ସବ ପାଳିବ। ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଏବେଠୁ ରୋଡ ମ୍ୟାପ ପ୍ରସ୍ତୁତ ଲାଗି ଯୋଜନା ହେବା ଜରୁରୀ ବୋଲି ସିନେ ବିଶେଷଜ୍ଞମାନେ ମତ ରଖିଛନ୍ତି।