୮ ତାରିଖ ଯାଏ ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୦୩/୦୮ : ରାଜ୍ୟରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ। ଆଜି ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବାରୁ ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସତର୍କ କରାଇଛନ୍ତି। ଓଡ଼ିଶା ସମେତ ଆସନ୍ତା ୮ ତାରିଖ ଯାଏ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଛତିଶଗଡ଼ର ବିସ୍ତୃତ ଅଞ୍ଚଳରେ ମଧ୍ୟ ଆସନ୍ତାକାଲି ଠାରୁ ୮ ତାରିଖ ଯାଏ ଭୀଷଣ ବର୍ଷା ହୋଇପାରେ।

ଅନ୍ୟପଟେ ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀର ଜଳସ୍ତର ପୁଣି ବଢ଼ିବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କତା ସହ ଆଗୁଆ ପ୍ରସ୍ତୁତି କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ଯାହା ଫଳରେ ୮ ଏବଂ ୯ ତାରିଖ ବେଳକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ହେବ। ଆସନ୍ତା କାଲି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଭାରି ବର୍ଷା ଆଶଙ୍କା ରହିଛି।

SBI AD