ନବୀନଙ୍କ ନୂଆ ଇତିହାସ: ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ରୋମରେ ରହଣୀ ସମୟରେ ଆଜି ପୋପ୍ ଫ୍ରାନ୍ସିସଙ୍କୁ ଭେଟିଛନ୍ତି। ଭାଟିକାନ୍ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିବାର ଫଟୋ ସାମ୍ନାକୁ ଆସିଛି । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଛନ୍ତି ନବୀନ । ଖ୍ରୀଷ୍ଟିଆନ୍ ସର୍ବୋଚ୍ଚ ଧର୍ମସ୍ଥଳୀ ଭାଟିକାନରେ ପୋପଙ୍କ ସହ ସେ ସାକ୍ଷାତ କରିଛନ୍ତି । ନବୀନଙ୍କ ସାଙ୍ଗରେ ଅଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ତେବେ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକଙ୍କ ଧର୍ମଗୁରୁ ହେଉଛନ୍ତି ପୋପ୍ ଫ୍ରାନସିସ୍ । ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପୋପ୍ । ତାଙ୍କରି ନିର୍ଦ୍ଦେଶରେ ତିଆରି ହୁଏ ଖ୍ରୀଷ୍ଟିଆନଙ୍କ ଧର୍ମୀୟ ନୀତି ନିୟମ ।

ସୂଚନାଯୋଗ୍ୟ, ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ଅବସ୍ଥାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଖାଦ୍ୟ ଓଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି.ଯାଦବ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଆମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରୁଥିବା ବେଳେ ସେଠାରେ ଓଡ଼ିଶା ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସଂପର୍କରେ ଆଲୋକପାତ କରିବେ।