ମହାରାଷ୍ଟ୍ର ରାଜନୀତି ସହ କରୋନାର ଖେଳ: ରାଜ୍ୟପାଳଙ୍କ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ହେଲେ ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ ଏଣ୍ଟ୍ରି ମାରିଛି କରୋନା । ରାଜ୍ୟପାଳ କୋଶୟାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି। ଉଦ୍ଧବଙ୍କ ସଂକ୍ରମଣ ବିଷୟରେ କଂଗ୍ରେସ ନେତା କମଲନାଥ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ରାଜ୍ୟପାଳଙ୍କ ସଂକ୍ରମଣ ବିଷୟରେ ଗଭର୍ଣ୍ଣର ହାଉସ୍ ପକ୍ଷରୁ ଅଧୀକାରିକ ସୂଚନା ମିଳିଛି। ଅଧିକାରୀ କହିଛନ୍ତି ଯେ ବୁଧବାର ନମୁନା ପରୀକ୍ଷା କରିବା ପରେ ସେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ରିଲାଏନ୍ସ ଫାଉଣ୍ଡେସନ ମେଡିକାଲରେ ଭର୍ତ୍ତି କରାଯାଇଥିଲ।

ତେବେ କମଲନାଥଙ୍କୁ କଂଗ୍ରେସ ମହାରାଷ୍ଟ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି । କଂଗ୍ରେସ ବିଧାୟକଙ୍କ ସହ ତାଙ୍କର ଏକ ବୈଠକ ମଧ୍ୟ ହୋଇଥିଲା । ଏହା ପରେ କମଲ ନାଥ ଗଣମାଧ୍ୟମକୁ କହିଥିଲେ ଯେ ଉଦ୍ଧବ ଠାକରେଙ୍କୁ ଭେଟି ପାରିଲେନି । କାରଣ ସେ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପରେ ସେ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯିବେ ବୋଲି କହିଛନ୍ତି । ୧୭ ଜୁନ୍‌କୁ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟପାଳ ପଜିଟିଭ ହେବା ପରେ ଉଦ୍ଧବ ଠାକରେ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି।

ଅନ୍ୟପଟେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ବୁଧବାର ଦାବି କରିଛନ୍ତି ଯେ, ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ରହିଛି। ସେମାନଙ୍କ ସହ ସେ ଆଜି ସକାଳୁ ଗୁଆହାଟିରେ ପହଞ୍ଚିଛନ୍ତି। ଆଉ ୧୦ ବିଧାୟକ ଖୁବଶୀଘ୍ର ତାଙ୍କ ପଖରେ ପହଞ୍ଚିବେ ବୋଲି ସେ କହିଛନ୍ତି। ତେବେ ସେ କାହାରି ସହିତ ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।