ଭୁବନେଶ୍ବର, ୧୨/୦୮ : ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଜ୍ୟ ସରକାର DGP ଚୟନ ପାଇଁ ପୂର୍ବରୁ UPSCକୁ ପଠାଇଥିବା ଅଧିକାରୀଙ୍କ ତାଲିକା ପ୍ରତ୍ୟାହାର କରି ନୂଆ ତାଲିକା ପଠାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। କାଲି ଏହି ମାମଲାର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଉଲ୍ଲେଖ କରାଯାଇଥିଲା। ପିଟିସନରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମାମଲା ଉଠାଇବା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ସମ୍ମତି ଦେଇଥିଲେ। ଓଡ଼ିଶା ସରକାର ପୂର୍ବରୁ UPSCକୁ ପଠାଇଥିବା ଅଧିକାରୀଙ୍କ ପ୍ୟାନେଲ୍ ପ୍ରତ୍ୟାହାର କରିଛନ୍ତି ଏବଂ ଏବେ ଏକ ନୂଆ ତାଲିକା ପ୍ରସ୍ତୁତ କରୁଛନ୍ତି। ଏହି ନୂଆ ତାଲିକାରେ ଜଣେ ADGP ପାହ୍ୟାର ଅଧିକାରୀଙ୍କୁ DGP ପାହ୍ୟାକୁ ପଦୋନ୍ନତି ଦେଇ ସାମିଲ କରିବାକୁ ଉଦ୍ୟମ ହେଉଥିବା ପିଟିସନରେ ଅଭିଯୋଗ କରାଯାଇଛି। ଆବେଦନକାରୀଙ୍କ ଯୁକ୍ତି ହେଉଛି, ଏପରି ପଦକ୍ଷେପ ନିଆଗଲେ DGP ନିଯୁକ୍ତି ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଏବଂ ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡକୁ ଏଡ଼ାଇ ଯିବାର ପ୍ରଶ୍ନ ଉଠିପାରେ।
ଏନେଇ ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । କହିଥିଲେ , କିଏ DGP ପଦ ପାଇଁ ଯୋଗ୍ୟ ଏବଂ କାହାକୁ ବିଚାରକୁ ନିଆଯାଇପାରିବ, ସେ ସମ୍ପର୍କରେ UPSC ଅବଗତ ଥିବା କୋର୍ଟ କହିଥିଲେ। ଯଦି ଅଯୋଗ୍ୟ ଅଧିକାରୀଙ୍କ ନାମ ଥିବା ତାଲିକା ପଠାଯାଏ ତେବେ UPSC ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବ ବୋଲି କୋର୍ଟ ଆଶା ପ୍ରକାଶ କରିଥିଲେ। ବର୍ତ୍ତମାନର DGP ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା୧୬ରେ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ DGP ଚୟନ ପାଇଁ ସମୟ ଅତ୍ୟନ୍ତ କମ୍ ରହିଛି। UPSCର Empanelment Committee ପୂର୍ବରୁ ୭ରେ ବୈଠକ କରିବାକୁ ଥିଲା। DGP ଚୟନ ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏହି ଉଚ୍ଚସ୍ତରୀୟ କମିଟି ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ତିନି ଜଣଙ୍କ ନାମ ସର୍ଟଲିଷ୍ଟ କରିଥାଏ।
ଏହି ତିନି ଜଣଙ୍କ ନାମ ଓଡ଼ିଶା ସରକାରଙ୍କ ନିକଟକୁ ପଠାଯିବା ପରେ ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ଜଣଙ୍କୁ DGP ଭାବେ ନିଯୁକ୍ତ କରିବେ। DGP ଚୟନ ପ୍ରକ୍ରିୟା ମଧ୍ୟରେ ବରିଷ୍ଠ IPS ଅଧିକାରୀଙ୍କ ପାହ୍ୟାରେ ହୋଇଥିବା ପରିବର୍ତ୍ତନ ମଧ୍ୟ ଚୟନ ସମୀକରଣକୁ ନୂଆ ମୋଡ଼ ଦେଇଛି। ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଏବଂ ସୁଶାନ୍ତ ନାଥଙ୍କ ଭଳି DGP ପାହ୍ୟାର ଅଧିକାରୀଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିଲା। ଏହା ମଧ୍ୟରେ ୧୯୯୪ ବ୍ୟାଚ୍ IPS ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ୱାଇ.କେ. ଜେଠୱାଙ୍କ DGP ପାହ୍ୟାକୁ ପଦୋନ୍ନତି ପରେ ଚୟନ ପ୍ରକ୍ରିୟାର ସମୀକରଣ ବଦଳିଛି। ରାଜ୍ୟର DGP ନିଯୁକ୍ତି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଐତିହାସିକ ପ୍ରକାଶ ସିଂହ ବନାମ ଭାରତ ସରକାର ମାମଲାର ନିର୍ଦ୍ଦେଶ ମୂଳ ଆଧାର। ଏହି ବ୍ୟବସ୍ଥା ଅନୁସାରେ ଯୋଗ୍ୟ ବରିଷ୍ଠ IPS ଅଧିକାରୀଙ୍କ ମଧ୍ୟରୁ UPSC ତିନି ଜଣଙ୍କ ପ୍ୟାନେଲ୍ ପ୍ରସ୍ତୁତ କରିବ ଏବଂ ରାଜ୍ୟ ସରକାର ସେହି ପ୍ୟାନେଲ୍ ମଧ୍ୟରୁ ଜଣଙ୍କୁ DGP ନିଯୁକ୍ତ କରିବେ।