ଭୁବନେଶ୍ୱର, ୩୦/୧୦ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଛି। ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବିପନ୍ନ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନ ୧୨ଟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ। ସେଠାରେ ସେ ବନ୍ୟାଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ପ୍ରତ୍ୟକ୍ଷ ସମୀକ୍ଷା କରିବେ। ଲଗାତାର ବର୍ଷା ହେତୁ ଗଞ୍ଜାମ ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ଜିଲ୍ଲାର ଅନେକ ନିଚ୍ଛାଟିଆ ଓ ଜନବସତି ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୩୦୦ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। ଏହାସହ ବିଭିନ୍ନ ସ୍ଥାନରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଫସି ରହିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ପ୍ରଶାସନ, ଓଡ୍ରାଫ୍ (ODRAF) ଏବଂ ଏନ୍ଡିଆର୍ଏଫ୍ (NDRF) ଟିମ୍ ଦ୍ୱାରା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦେଇଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଏପର୍ଯ୍ୟନ୍ତ ୬,୧୭୦ ଜଣ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୧୭୭ଟି ସ୍ୱତନ୍ତ୍ର ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ, ଔଷଧ ଏବଂ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।