ଭୁବନେଶ୍ୱର, ୩୦/୧୦ : ‘ପିଏମ୍-କିଷାନ ଉତ୍ସବ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଯୋଜନାରେ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯିବ। ଗୁଜରାଟର ବନାସକାଣ୍ଠାରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ଖାତାକୁ ଅର୍ଥରାଶି ହସ୍ତାନ୍ତର କରିବେ। ଏହି ଅବସରରେ ଓଡ଼ିଶାରେ ମଧ୍ୟ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହେବ। ଭୁବନେଶ୍ୱରସ୍ଥିତ OUATର କୃଷି ଶିକ୍ଷା ସଦନରେ ସକାଳ ୯ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜ୍ୟର ମୋଟ ୩୫,୩୯,୨୯୭ ଜଣ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ସିଧାସଳଖ ପଠାଯିବ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିବେ। ଏହି ଆର୍ଥିକ ସହାୟତା ଚାଷୀ ପରିବାରକୁ ଆଶ୍ୱସ୍ତି ଦେବା ସହ ଚାଷକାର୍ଯ୍ୟ ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣାରେ ସହାୟକ ହେବ ବୋଲି ଆଶା କରାଯାଉଛି।