ଭୁବନେଶ୍ୱର, ୦୩/୦୮ : ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି । ବୈଠକରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ପୂଜାପଣ୍ଡା ନିଯୋଗ, ବ୍ରାହ୍ମଣ ନିଯୋଗ ଏବଂ ବଡ଼ୁ ନିଯୋଗର ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ନୀତିକାନ୍ତିରେ ଦେଖାଦେଇଥିବା ବିଭ୍ରାଟ ଓ ଭକ୍ତଙ୍କ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନା ପରେ ବାବୁ ସିଂ କହିଛନ୍ତି , ସମସ୍ତ ନିଯୋଗର ମତାମତକୁ ଗ୍ରହଣ କରାଯାଇଛି । ମନୋମାଳିନ୍ୟକୁ ଦୂରେଇ ରଖି ପୂର୍ବଭଳି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ଭାବେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଚାରି ଦିନ ଭିତରେ ମନ୍ଦିର ଟ୍ରଷ୍ଟର ମିଟିଂ ରଖାଯିବ। ଏଥିରେ ଯାହାର ଯାହାର ଯାହା ମନାନ୍ତର ମତାନ୍ତର ଅଛି, ସେସବୁ କଥା ଶୁଣି ସମାଧାନ କରାଯିବ । ମନ୍ଦିରର ପୂଜାପଣ୍ଡା ସେବାୟତ ଏବଂ ବଡୁ ସେବାୟତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଅସନ୍ତୋଷ ଲାଗି ରହିଥିଲା। ଆଜି ଶ୍ରାବଣ ସୋମବାର ଭଳି ସ୍ବତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦିନରେ ମନ୍ଦିରକୁ ଆସୁଥିବା ଦାନ ଟଙ୍କା ଏବଂ ବିଭିନ୍ନ ପୂଜାନୀତିରୁ ମିଳୁଥିବା ପାଉଣା ଟଙ୍କା ଭାଗବଣ୍ଟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଏହି ବିବାଦ ଉଗ୍ର ରୂପ ଧାରଣ କରି ସେବାୟତମାନେ ନିଜର ଦାୟିତ୍ୱରୁ ଓହରି ଯାଇ ନୀତିକାନ୍ତି ବନ୍ଦ କରିଦେଇଥିଲେ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବାଙ୍କୁ ଜଳ ଲାଗି କରି ନ ପାରି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ପ୍ରଭୁଙ୍କର ଅବକାଶ ନୀତି ଏବଂ ସକାଳ ଧୂପ ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ନ ହେବାରୁ ମନ୍ଦିର ପରିସରରେ ଦୁଃଖଦାୟକ ପରିବେଶ ସୃଷ୍ଟି ହୋଇଥିଲା ।
